ଅରୁଣ ସ୍ତମ୍ଭରେ ଫାଟ
ଭୁବନେଶ୍ୱର: ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ଶୋଭା ପାଉଥିବା ଅରଣ ସ୍ତମ୍ଭରେ ଫାଟ ଦେଖାଦେଇଛି। ଗୋଟିଏ ପଥରରେ ନିର୍ମିତ ଏହି ସ୍ତମ୍ଭରେ ଫାଟକୁ ନେଇ ତନାଘନା ଚାଲିଛି। ଭୂମିଠାରୁ ପ୍ରାୟ ୧୭ ଫୁଟର ଏହି ଫାଟ ସ୍ତମ୍ଭର ଉତ୍ତର ପଟେ ଦେଖାଯାଉଛି। ଶ୍ରୀମନ୍ଦିରର ୧୬୧ ନମ୍ବର ପ୍ଲଟରେ ଏହି ଅରୁଣସ୍ତମ୍ଭକୁ ପ୍ରତିଷ୍ଠା କରାଯାଇଛି।
ସ୍ତମ୍ଭ ଫାଟର ଆକାର ଲମ୍ବରେ ତିନି ଫୁଟ। ଫାଟ ମଝିରେ ୩ଟି ସ୍ଥାନରେ ଗାତ ସୃଷ୍ଟି ହୋଇଛି। ଯାହା ଜଣାପଡ଼ୁଛି ଏହି ଫାଟକୁ ମୁଦିବାକୁ ଏହା ପୂର୍ବରୁ ଉଦ୍ୟମ ହୋଇଥିଲା। କାରଣ ଫାଟ ଦେହରେ ଫାଟ ଯୋଡେ଼ଇର (ଜଏଣ୍ଟ ସିଲିଂ ଏଣ୍ଡ ଗ୍ରାଉଟିଂ) ଚିହ୍ନ ସ୍ୱରୂପ ଅଠା ଲାଗିଛି। ଏହା ବ୍ୟତୀତ ସ୍ତମ୍ଭରେ ୩ଟି ଗାତ ମଧ୍ୟ ରହିଛି । ଗାତ ଗୁଡ଼ିକ ଛୋଟ ହୋଇଥିଲେ ମଧ୍ୟ ଅରୁଣ ସ୍ତମ୍ଭ ପଥରର ଏକକତାକୁ ଏହା ଦୁର୍ବଳ କରିବା ଆଶଙ୍କା ଦେଖାଦେଇଛି।
ଆଠ ଶହ ବର୍ଷ ପୂର୍ବେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଶୋଭା ପାଉଥିବା ଏହି ସ୍ତମ୍ଭର ଉଚ୍ଚତା ପ୍ରାୟ ୩୩ ଫୁଟ ୮ ଇଞ୍ଚ । ମୋଟ ୧୬ ( ପର, ମୁହଁ, ପାଗ) କୋଣ ବିଶିଷ୍ଟ ଏହି ସ୍ତମ୍ଭର ଗୋଲେଇ ସାଢେ଼ ଛଅ ଫୁଟ ସାଢେ଼ ତିନି ଇଞ୍ଚ । ବ୍ୟାସ ଦୁଇ ଫୁଟ। ମରହଟ୍ଟା ରାଜତ୍ୱ ଅମଳରେ ଭୋଇ ବଂଶର ରାଜା ଦିବ୍ୟସିଂହ ଦେବ ଅଷ୍ଟାଦଶ ଶତାବ୍ଦୀରେ ପୁରୀ ଆଣି ଶ୍ରୀମନ୍ଦିର ସିଂହଦ୍ୱାରରେ (ପୂର୍ବ ଦିଗ) ପ୍ରତିଷ୍ଠା କରିଥିଲେ। ଏହି ସ୍ତମ୍ଭ ଉପରେ ସୂର୍ଯ୍ୟଙ୍କ ବାହନ ଅରୁଣ ବିଜେ ହୋଇଛନ୍ତି ବୋଲି ଐତିହାସିକମାନେ କହିଛନ୍ତି । ଏହି ସ୍ତମ୍ଭ ସାତ ଫୁଟ ନଅ ଇଞ୍ଚ ଲମ୍ବର ବର୍ଗାକାର କ୍ଷେତ୍ର ଏବଂ ଛଅ ଫୁଟ ଉଚ୍ଚର କଳାମୁଗୁନି ପଥର ପୀଠ ଉପରେ ଠିଆ ହୋଇଛି । ଏହି ଐତିହାସିକ କୀର୍ତ୍ତିର ସୁରକ୍ଷା ପାଇଁ ଗବେଷକମାନେ ଦାବି କରିଛନ୍ତି।
Comments are closed.