ବିମୁଦ୍ରାକରଣ: ଖୋଲିଲା ଦୁର୍ନୀତିର ଗୁମର

ଥାନେ: ୨ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ଇନିଂସରେ ୨୦୧୬ ମସିହାରେ ବିମୁଦ୍ରାକରଣ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ କେଉଁଭଳି କେଳେଙ୍କାରୀ ହୋଇଥିଲା, ଏହାର ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି। ଅମ୍ବିଭାଲି ବସ୍ତିରେ ରହୁଥିବା ଜଣେ ଶ୍ରମିକଙ୍କୁ ଆୟକର ବିଭାଗ ୧.୦୫ କୋଟିର ଟିକସ ଦାଖଲ କରିବାକୁ ନୋଟିସ କରିଛି। ବିମୁଦ୍ରାକରଣ ବେଳେ ତାଙ୍କ ଆକାଉଣ୍ଟରେ ୫୮ ଲକ୍ଷ ଟଙ୍କା ଜମା ହୋଇଥିଲା। ଏହି କାରଣରୁ ତାଙ୍କୁ ଆୟକର ବିଭାଗ ନୋଟିସ କରିଛି।
ବାଉସାହେବ ଅହିର ଜଣେ ଦିନ ମଜୁରିଆ ଓ ସେ ଦୈନିକ ମାତ୍ର ୩୦୦ ଟଙ୍କା ରୋଜଗାର କରନ୍ତି। ଏବେ ସେ ଆୟକର ନୋଟିସ ପାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ତାଙ୍କ ଆକାଉଣ୍ଟରେ ଏତେ ଟଙ୍କା କେଉଁଠୁ ଆସିଲା, ସେକଥା ସେ ନିଜେ ବି ଜାଣି ନଥିବା କହିଛନ୍ତି। ଅହିର କହିଛନ୍ତି, “୨୦୧୬ ବିମୁଦ୍ରାକରଣ ବେଳେ ଏକ ଘରୋଇ ବ୍ୟାଙ୍କରେ ମୋ ନାଁରେ ଖୋଲା ଯାଇଥିବା ଆକାଉଣ୍ଟରେ ଟଙ୍କା ଜମା ହୋଇଥିବା ନେଇ ଗତବର୍ଷ ସେପ୍ଟେମ୍ବର ମାସରେ ନୋଟିସ ଆସିଥିଲା। ନୋଟିସ୍ ପାଇବା ପରେ ମୁଁ ଆୟକର ବିଭାଗ ନିକଟରେ ଅଭିଯୋଗ କରିଥିଲି।
ବ୍ୟାଙ୍କକୁ ମଧ୍ୟ ଯାଇଥିଲି। ମୋ ପାନ କାର୍ଡ ଦେଇ କେହି ଆକାଉଣ୍ଟ ଖୋଲିଛି। ହେଲେ ଏଥିରେ ଭୁଲ ଫଟୋ ଓ ଭୁଲ ଦସ୍ତଖତ ରହିଥିଲା। ଜାନୁଆରୀ ୭ରେ ମୋତେ ପୁଣି ଥରେ ଆୟକର ବିଭାଗ ପକ୍ଷରୁ ନୋଟିସ କରାଯାଇଛି। ଏଥିରେ ୧.୦୫ କୋଟି ଟଙ୍କା ପୈଠ କରିବାକୁ କୁହାଯାଇଛି।”
Comments are closed.