ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ ; ଶ୍ରଦ୍ଧାଳୁ ଆହତ
ନୂଆଦିଲ୍ଲୀ: ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ। ଭୂସ୍ଖଳନ ଯୋଗୁଁ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆସିଥିବା ୩ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ମାତା ବୈଷ୍ଣୋଦେବୀଙ୍କ ବ୍ୟାଟେରି କାର୍ ମାର୍ଗରେ ଥିବା ପଂଛି କଲୋନିରେ ଭୂସ୍ଖଳନ ହେବା ଫଳରେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆସିଥିବା ୩ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଆହତ ଦର୍ଶନାର୍ଥୀମାନେ ହେଲେ ଓମପ୍ରକାଶ (୪୯), ମୁକେଶ କୁମାର (୨୮) ଓ ଆମେରିକା ସିଂହ (୪୫)। ଏହି ଅଘଟଣ ଘଟିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଆହତ ଦର୍ଶନାର୍ଥୀମାନଙ୍କୁ ଉଦ୍ଧାର କରାଯିବା ସହ ଚିକିତ୍ସା ପାଇଁ ସେମାନଙ୍କୁ ଶ୍ରୀ ମାତା ବୈଷ୍ଣୋଦେବୀ ସ୍ରାଇନ ବୋର୍ଡର ନାରାୟଣ ହସ୍ପିଟାଲକୁ ନିଆଯାଇଛି।
ଗତକାଲି ବିଳମ୍ବିତ ରାତିରେ ଶ୍ରଦ୍ଧାଳୁମାନେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ମନ୍ଦିର ଆଡ଼କୁ ଯାଉଥିଲେ ସେ ସମୟରେ ବୈଷ୍ଣୋଦେବୀର ବ୍ୟାଟେରି କାର ମାର୍ଗରେ ଭୁସ୍ଖଳନ ହୋଇଥିଲା। ଏହି ଭୁସ୍ଖଳନରେ ଯାତ୍ରୀମାନଙ୍କ ପାଇଁ ନିର୍ମାଣ କରାଯାଇଥିବା ଆଶ୍ରୟସ୍ଥଳୀଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି। ଆହତ ଓମପ୍ରକାଶ, ମୁକେଶ କୁମାର ଓ ଆମେରିକା ସିଂହଙ୍କର ଚିକିତ୍ସା ଜାରି ରହିଛି। ଏମାନେ ସମସ୍ତେ ଲକ୍ଷ୍ନୌରୁ ବୋଲି ଜଣାପଡ଼ିଛି। ଭୂସ୍ଖଳନ ସୂଚନା ମିଳିବା ପରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଟିମ,ସ୍ରାଇନ ପ୍ରଶାସନର କର୍ମଚାରୀ ଏବଂ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଅନ୍ୟ ଦର୍ଶନାର୍ଥୀମାନଙ୍କୁ ସତର୍କ କରାଇବା ସହ ମାତା ବୈଷ୍ଣୋଦେବୀଙ୍କ ଦର୍ଶନର ବନ୍ଦୋବସ୍ତ କରାଇଥିଲେ।
Comments are closed.