Odisha Link
Bridging the Missing Links in Odisha

କେନ୍ଦ୍ରରେ ଏନପିଆର ପାଇଁ ବୈଠକ: ଯୋଗ ଦେବନି ମମତା ସରକାର

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଜନଗଣନା ଏବଂ ନ୍ୟାସ୍‌ନାଲ୍‌ ପପୁଲେସନ୍‌ ରେଜିଷ୍ଟର୍‌ (ଏନ୍‌ପିଆର୍‌) ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛି। ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ପଶ୍ଚିମବଙ୍ଗର ମମତା ସରକାର ଏହି ବୈଠକରେ ଯୋଗ ଦେବେ ନାହିଁ। ଏହି ବୈଠକର ଅଧ୍ୟକ୍ଷତା କରିବା ହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ। ଅମ୍ବେଦକର ଭବନରେ ଏହି ବୈଠକ ଅନୁଷ୍ଠିତ ହେବ।

‘ଏନ୍‌ପିଆର୍‌’ ସଂକ୍ରାନ୍ତରେ ଜାନୁଆରି ୧୫ ତାରିଖ ଦିନ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ପୁଣି ଥରେ ବିଜ୍ଞପ୍ତି ପଠାଇଥିଲେ। ଏହାକୁ ସ୍ଥଗିତ ରଖାଯାଉ ବୋଲି ପଶ୍ଚିମବଙ୍ଗ ଏବଂ କେରଳ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି। ୨୦୨୧ ଲାଗି ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ୨୦୨୦ ଏପ୍ରିଲ୍‌ ୧ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ଯାଏଁ ଚାଲିବ। ଏଥିରେ ପରିବାରର ମୁଖ୍ୟଙ୍କ ନାମ, ଘରେ କେତେଜଣ ବାସ କରୁଛନ୍ତି ଆଦି ତଥ୍ୟ ସହ ଘର ତାଲିକା ରହିବ। ଘର ତାଲିକା ନିମନ୍ତେ ୩୧ଟି ବିଷୟ ଉପରେ ପ୍ରଶ୍ନ ପଚରାଯିବ। ୨୦୨୧ ଫେବ୍ରୁଆରିରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସଂକ୍ରାନ୍ତରେ ପ୍ରଶ୍ନ ପଚରାଯିବ। ୨୦୨୧ ଜନଗଣନା ଲାଗି ଘରର ମୁଖ୍ୟଙ୍କ ଲିଙ୍ଗ ସଂକ୍ରାନ୍ତ ପ୍ରଶ୍ନରେ ‘ପୁରୁଷ’ କିଂବା ‘ମହିଳା’ ସହ ‘ତୃତୀୟଲିଙ୍ଗ’ ବା ଟ୍ରାନ୍‌ସ୍‌ଜେଣ୍ଡର୍‌ ଯୋଗ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଜନଗଣନା ଅଭିଯାନ ନିମନ୍ତେ ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ନିୟୋଜନ କରାଯିବ। ପାରିଶ୍ରମିକ ବାବଦରେ ପ୍ରତ୍ୟେକଙ୍କୁ ୨୫, ୦୦୦ ଟଙ୍କା ଲେଖାଏଁ ଦିଆଯିବ। ଗତ ଥର ଗଣନାକାରୀ ଅଫିସର୍‌ଙ୍କୁ ଏଥି ନିମନ୍ତେ ୫, ୫୦୦ ଟଙ୍କା ମିଳିଥିଲା। ଏଥର ଗଣନାକାରୀ ଅଫିସର୍‌ ଘର ତାଲିକା, ଜନଗଣନା ଏବଂ ଏନ୍‌ପିଆର୍‌ କାର୍ଯ୍ୟ କରିବାକୁ ଥିବାରୁ ପାରିଶ୍ରମିକ ବଢ଼ାଇ ଦିଆଯାଇଛି।

Comments are closed.