Odisha Link
Bridging the Missing Links in Odisha

ଲୋକମାନେ ହିଁ ମୁନିବ : ନବୀନ

ଭୁବନେଶ୍ବର: ଆଜି ପ୍ରଥମଥର ପାଇଁ ଲୋକସେବା ଭବନରେ ଅନୁଷ୍ଠିତ ଜିଲ୍ଲାପାଳ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ସରକାରଙ୍କ ଫୋକସ୍‌ରେ ଥିବା ‘୫-ଟି’ ଓ ‘ମୋ ସରକାର’କୁ ବ୍ୟାପକ ଓ ସଫଳ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁ ମନ୍ତ୍ର ଦେଇଛନ୍ତି।

ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି,‘ ଲୋକମାନେ ହିଁ ଗଣତନ୍ତ୍ରର ମୂଳଧାରା, ସବୁ ପ୍ରତିଷ୍ଠାନ ଲୋକଙ୍କ ପାଇଁ, ଲୋକ ମାନେ ହିଁ ଆମର ପ୍ରଭୁ, ସେମାନେ ହିଁ ଶାସନର ବିନ୍ଦୁ। ଆମ ସରକାର ଉପରେ ଲୋକଙ୍କ ଅତୁଟ ଆଶା ଓ ବିଶ୍ବାସ ରହିଛି। ସାଧାରଣ ଲୋକଙ୍କ ଇଛା, ବିଶ୍ବାସ ଚରିତାର୍ଥ କରିବା ହିଁ ଆମର କର୍ତ୍ତବ୍ୟ। ମୋ ସରକାର କଠିନ ପରିଶ୍ରମ କରୁଛି। ସାଢେ ୪ କୋଟି ଲୋକଙ୍କ ଦାୟିତ୍ୱ ସରକାରଙ୍କ ଉପରେ। ଗଣତନ୍ତ୍ରର ପ୍ରତ୍ୟେକ ଅନୁଷ୍ଠାନ କେବଳ ଲୋକଙ୍କ ପାଇଁ। ଲୋକଙ୍କୁ ସର୍ବୋତ୍ତମ ସୁବିଧା, ସୁଯୋଗ ଦିଆଯିବ।’ ଲୋକଙ୍କ ସେବା ପାଇଁ ୫-ଟି ଓ ମୋ ସରକାର ଯୋଜନା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନବୀନ କହିଛନ୍ତି, ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ନେଇ ମୋର ଗୋଟିଏ ପରିବାର ଅଛି। ସେମାନଙ୍କ ଆଶୀର୍ବାଦରେ ମୁଁ ଗତ ୨୦ ବର୍ଷ ହେଲା ସେମାନଙ୍କ ସେବା କରୁଛି। ଆମ ସମସ୍ତଙ୍କ ପାଇଁ ଆମ ପରିବାର ଗୁରୁତ୍ୱପୂର୍ଣ୍ଣ। ଆମେ ସମସ୍ତେ ଆମ ନିଜ ପିଲାଙ୍କୁ ଭଲ ପଢାଇବାକୁ ଚେଷ୍ଟା କରୁ। ଆମ ନିଜ ଭାଇ, ଭଉଣୀ ଭଲ ଚାକିରି କରନ୍ତୁ ବୋଲି ଆମେ ଚାହୁଁ। ଆମ ବାପାମା’ ଭଲ ସ୍ୱାସ୍ଥ୍ୟ ସେବା ପାଆନ୍ତୁ ବୋଲି ଆମେ ଚାହୁଁ। ସେହିପରି ମୁଁ ଚାହେଁ ମୋ ପରିବାରର ସମସ୍ତଙ୍କୁ ସୁଖ ସୁବିଧା ମିଳୁ। ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମର୍ଯ୍ୟାଦା ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଜିଲ୍ଲାପାଳମାନଙ୍କୁ ନିଜ ନିଜର ଦାୟିତ୍ବ ତୁଲାଇବାକୁ ଶପଥ ପାଠ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ଏହି ଶପଥ ପାଠ କରାଇଥିଲେ। ଏଥିରେ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିବା ଜଣାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ଏହା ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ ହୋଇଥିବାରୁ ପ୍ରଶାସନିକ ମହଲରେ ଏହାକୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି।

Comments are closed.