କୁହୁଡ଼ି ପାଇଁ ୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟର ଅନେକ ଜିଲ୍ଲାରେ ଦେଖିବାକୁ ମିଳୁଛି ଘନ କୁହୁଡ଼ିର ଆସ୍ତରଣ। କାଲି ମଧ୍ୟ ଏପରି ସ୍ଥିତି ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ମଦନମୋହନ ଦାସ କହିଛନ୍ତି, “ ଘନ କୁହୁଡ଼ି ନେଇ ୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, ଓ କୋରାପୁଟ ଜିଲ୍ଲା ପାଇଁ ଏହି ସତ୍ତର୍କ ସୂଚନା ଜାରି କରାଯାଇଛି। ତା’ ସହିତ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା,ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ଘନ କୁଡୁଡ଼ି ଦେଖାଯିବାର ସମ୍ଭାବନା ରହିଛି।” ଏଥିସହ ସେ କହିଛନ୍ତି ଯେ ଆଜି ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ଥିଲା। ସେହିପରି ଫୁଲବାଣୀ ଓ ସୋନପୁରର ତାପମାତ୍ରା ମଧ୍ୟ ୧୦ ଡିଗ୍ରୀ ତଳେ ରହିଥିଲା।
ସୂଚନାଯୋଗ୍ୟ, ଆଜି ଖୋର୍ଦ୍ଧା, ଭଦ୍ରକ, ପୁରୀ, ପାରାଦୀପ, ଜଗତସିଂହପୁର, ଟିଟିଲାଗଡ଼, ସୁନ୍ଦରଗଡ଼, ଫୁଲବାଣୀ, ମାଲକାନଗିରି, କଟକ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଆଜି ଚାନ୍ଦବାଲିକୁ ସବୁଠୁ ଅଧିକ କୁହୁଡ଼ି ଆଚ୍ଛାଦିତ କରି ରଖିଥିଲା। ସକାଳେ ୨୦ ମିଟର ପରେ କିଛି ଦୃଶ୍ୟମାନ ହେଉ ନଥିଲା। ସେହିପରି ପାରାଦୀପ ଓ ଅନୁଗୋଳରେ ୩୦ମିଟର, କଟକ, ଭୁବନେଶ୍ୱର ଓ ପୁରୀରେ ୫୦ ମିଟର ପରେ କିଛି ଦେଖାଯାଉ ନଥିଲା। ଏଭଳି ସ୍ଥିତି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜି ଥିଲା। କିଛି ସ୍ଥାନରେ ଦୁର୍ଘଟଣା ଘଟିଥିବା ବେଳେ ଧାମରାରେ ମୁହାଣ ନିକଟରେ ଏକ ଲଞ୍ଚ୍ ବାଟବଣା ହୋଇଯାଇଥିଲା।
Comments are closed.