ସିଦ୍ଧିବିନାୟକ ମନ୍ଦିରକୁ ୩୫ କେଜି ସୁନା ଦାନ

ମୁମ୍ବାଇ: ଭକ୍ତଟିଏ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରିଥାଏ। ମନସ୍କାମନା ପୂରଣ ହେବା ପରେ ଭଗବାନଙ୍କୁ ପାଖରୁ ନଦେଖିଲେ ମଧ୍ୟ ଭକ୍ତି ଓ ବିଶ୍ବାସରେ କିଛି ଦାନ କରିଥାଏ। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୁମ୍ବଇର ସିଦ୍ଧିବିନାୟକ ମନ୍ଦିରରେ। ମୁମ୍ବଇରେ ଥିବା ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ଜଣେ ଶ୍ରଦ୍ଧାଳୁ ୩୫ କିଲୋ ସୁନା ଦାନ କରିଛନ୍ତି। ଗତ ସପ୍ତାହରେ ମନ୍ଦିରକୁ ଏହି ଦାନ ମିଳିଛି। ଏହି ସୁନାର ବଜାର ମୂଲ୍ୟ ପ୍ରାୟ ୧୪ କୋଟି ଟଙ୍କା ହେବ। ସିଦ୍ଧିବିନାୟକ ମନ୍ଦିର ମୁମ୍ବଇର ଧନୀ ମନ୍ଦିରଗୁଡ଼ିକ ମଧ୍ୟରୁ ଅନ୍ୟତମ। ସିଦ୍ଧିବିନାୟକ ମନ୍ଦିରକୁ ପ୍ରତିବର୍ଷ ଶ୍ରଦ୍ଧାଳୁମାନେ କୋଟି କୋଟି ଟଙ୍କା ଦାନ କରିଥାନ୍ତି। କିଛି ଶ୍ରଦ୍ଧାଳୁ ଟଙ୍କା ଆକାରରେ ଆଉ କିଛି ସୁନା, ରୁପା ଅଥବା ମୂଲ୍ୟବାନ ଅଳଙ୍କାର ଦାନ କରନ୍ତି। କିନ୍ତୁ ୩୫ କେଜି ସୁନା ଦାନ କରିବା ପ୍ରଥମ ଘଟଣା ବୋଲି କୁହାଯାଇଛି।
ଏହି ସୁନା ଦାନ କରିଥିବା ବ୍ୟକ୍ତି ଦିଲ୍ଲୀର ବୋଲି ଜଣାପଡ଼ିଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ଆଦେଶ ବାନ୍ଦେକର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କିନ୍ତୁ ସମ୍ପୃକ୍ତ ଶ୍ରଦ୍ଧାଳୁଙ୍କ ପରିଚୟ ଦେବାକୁ ମନା କରିଦେଇଛନ୍ତି। ଏହି ସୁନାକୁ ମନ୍ଦିରର କବାଟ ଏବଂ ସିଲିଂ କାର୍ଯ୍ୟରେ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି। ଅଧ୍ୟକ୍ଷ କହିଛନ୍ତି, ୨୦୧୭ ପର୍ଯ୍ୟନ୍ତ ମନ୍ଦିରକୁ ୩୨୦ କୋଟି ଟଙ୍କା ଦାନ ମିଳିଥିଲା। ବର୍ତ୍ତମାନ ଏହା ବୃଦ୍ଧି ପାଇ ୪୧୦ କୋଟିରେ ପହଞ୍ଚିଛି। ବିଭିନ୍ନ ସାମାଜିକ କାର୍ଯ୍ୟରେ ଏହି ଦାନକୁ ବିନିଯୋଗ କରାଯାଉଛି। ଯେଉଁ ଗରିବ ଲୋକମାନେ ମନ୍ଦିରର ଦ୍ବାରସ୍ଥ ହେଉଛନ୍ତି ସେମାନଙ୍କୁ ଏହି ଅର୍ଥରୁ ସହାୟତା ଦିଆଯାଏ। ବର୍ତ୍ତମାନ ସୁଦ୍ଧା ୨୦ ହଜାର ଲୋକଙ୍କୁ ୩୮ କୋଟି ଟଙ୍କା ସହାୟତା କରାଯାଇଛି।
Comments are closed.