ସାଇବାବାଙ୍କ ଜନ୍ମସ୍ଥଳୀକୁ ନେଇ ୨୯ ପ୍ରମାଣ ଦେଲା ପାଥରୀ
ମୁମ୍ବାଇ: ଦେଶର ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ମଧ୍ୟରୁ ଶିରିଡ଼ି ଅନ୍ୟତମ। ଲକ୍ଷ ଲକ୍ଷ ଲୋକ ପ୍ରତିବର୍ଷ ଶିରିଡ଼ି ଯାଇ ସାଇବାବାଙ୍କ ଦର୍ଶନ କରନ୍ତି। ତେବେ ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ବର୍ତ୍ତମାନ ଥିବା ବିବାଦ ଉପୁଜିଛି। ମହାରାଷ୍ଟ୍ରର ଉଦ୍ଧବ ଠାକରେ ପାଥରୀ ଗାଁକୁ ସାଇବାବାଙ୍କ ପ୍ରକୃତ ଜନ୍ମସ୍ଥଳୀ କହିବା ସହ ପାଥରୀର ବିକାଶ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର କରିବା ଲାଗି ଘୋଷଣା କରିଛନ୍ତି। ଏହାକୁ ନେଇ ଶିରିଡ଼ିର ଲୋକେ ପ୍ରବଳ ଅସନ୍ତୋଷ ଜାହିର କରିଛନ୍ତି। ଏହି ଘୋଷଣା ପରେ ପାଥରୀ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଶିରିଡ଼ି ସାଇ ମନ୍ଦିର ଟ୍ରଷ୍ଟର ଜଣେ ସଦସ୍ୟ କହିଛନ୍ତି, ଶିରିଡ଼ି ହେଉଛି ସାଇବାବାଙ୍କ କର୍ମସ୍ଥଳୀ। ତାଙ୍କ ଜନ୍ମସ୍ଥଳୀକୁ ନେଇ କୌଣସି ଠୋସ୍ ପ୍ରମାଣ ମିଳିନାହିଁ। ସରକାରଙ୍କ ଘୋଷଣା ପରେ ପାଥରୀ ଏବଂ ଶିରିଡ଼ିର ଲୋକମାନେ ପରସ୍ପରକୁ ବିରୋଧ କରିବାରେ ଲାଗିଛନ୍ତି। ତେବେ ପାଥରୀ ଗ୍ରାମବାସୀ ସାଇ ବାବାଙ୍କ ଜନ୍ମସ୍ଥଳୀ ପାଥରୀ ଦାବି କରିବା ସହ ୨୯ଟି ପ୍ରମାଣ ଅଛି ବୋଲି କହିଛନ୍ତି। ଏହାକୁ ନେଇ ଶିରିଡ଼ି ଲୋକେ ଠୋସ୍ ପ୍ରମାଣ ଦେଖାଇବାକୁ କହିଛନ୍ତି।
ସାଇବାବା ଜନ୍ମସ୍ଥଳ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଅତୁଲ ଚୌଧୁରୀ କୁହନ୍ତି, ସାଇବାବାଙ୍କ ଜନ୍ମ ପାଥରୀ ଗାଁରେ ୧୮୩୮ରେ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ବାଲା ସାହେବ ଖେର୍ଙ୍କ ପୁଅ ବିଶ୍ଵାସ ଖେର୍ ୩୦ ବର୍ଷ ଗବେଷଣା କରିବା ପରେ କହିଥିଲେ ଯେ ପାଥରୀ ହେଉଛି ସାଇବାବାଙ୍କ ଜନ୍ମଭୂମି। ପାଥରୀ ନିକଟ ସେଲୁ ଗାଁରେ ସାଇବାବାଙ୍କ ଗୁରୁ କେଶବରାଜ ମହାରାଜଙ୍କ ମନ୍ଦିର ରହିଛି। କେବଳ ଏତିକି ନୁହେଁ, ଚୌଧୁରୀ କହିଛନ୍ତି, ଗୋବିନ୍ଦ ଦାଭୋଲକରଙ୍କ ପୁସ୍ତକ ଏବଂ ୧୯୭୪ରେ ସାଇ ସଂସ୍ଥାନ ପକ୍ଷରୁ ଛପା ଯାଇଥିବା ସାଇ-ଚରିତ୍ରର ୮ମ ସଂସ୍କରଣରେ ସାଇବାବା ପାଥରୀରେ ଜନ୍ମ ହୋଇଥିବା ଉଲ୍ଲେଖ ରହିଛି। ସାଇବାବା ନିଜର ଜଣେ ଶିଷ୍ୟ ମହାଲସାପତୀଙ୍କୁ କହିଥିଲେ ଯେ, ତାଙ୍କ ମାତାପିତା ତାଙ୍କୁ ଜଣେ ଫକୀରଙ୍କ ଥଳିରେ ପକାଇ ଦେଇଥିଲେ। ସାଇବାବାଙ୍କ ମୂଳ ନାମ ହରିଭାଉ ଭୁସାରୀ ଥିଲା। ତାଙ୍କ ବଡ଼ ଭାଇ ବି ଫକୀର ଥିଲେ। ପାଥରୀ ଗାଁରେ ମୁସଲମାନ ଲୋକଙ୍କ ସଂଖ୍ୟା ଯଥେଷ୍ଟ ରହିଛି। ଏହି ଗାଁରୁ ଅନେକ ବଡ଼ ଫକୀର ଥିଲେ। କିନ୍ତୁ ଏମାନଙ୍କ କାହାଣୀ ଲୋକଲୋଚନକୁ ଆସିପାରି ନ ଥିଲା, ଯେଉଁଥିପାଇଁ ପାଥରୀ ଗାଁର ନାମ ପ୍ରସିଦ୍ଧ ହୋଇପାରି ନାହିଁ। ଏହାବ୍ୟତୀତ ସନ୍ଥ ଦାସଗଣୁଙ୍କ ଆତ୍ମକଥାରେ ସାଇବାବାଙ୍କ ଜନ୍ମସ୍ଥଳ ପାଥରୀ ବୋଲି ଦର୍ଶାଯାଇଥିବା ଅତୁଲ ଚୌଧୁରୀ କହିଛନ୍ତି।
ଶିରିଡ଼ି ସାଇ ସଂସ୍ଥାନର ସୁରେଶ ହାୱରେ କୁହନ୍ତି, ଅଭିଲେଖାଗାରରେ ଏହି ପୁସ୍ତିକାର କୌଣସି ୮ମ ସଂସ୍କରଣ ନାହିଁ। ପାଥରୀ ଲୋକମାନେ ଯେଉଁ ପୁସ୍ତକ ଆଧାରରେ ଏହା ଦାବି କରୁଛନ୍ତି, ସେହି ସଂସ୍କରଣ ବିଶ୍ଵାସ ଖେରଙ୍କ ସମୟର। ବର୍ତ୍ତମାନ ଆମ ପାଖରେ ୩୬ତମ ସଂସ୍କରଣ ରହିଛି। ଏହାର କୌଣସି ସଂସ୍କରଣରେ ପାଥରୀ ସାଇବାବାଙ୍କ ଜନ୍ମସ୍ଥଳ ବୋଲି ଉଲ୍ଲେଖ ରହିନାହିଁ। ଦୋଭାଲକରଙ୍କ ଦ୍ବାରା ଲିଖିତ ପୁସ୍ତକ ବି ଆମ ନିକଟରେ ରହିଛି, ଯେଉଁଥିରେ ଏଭଳି କିଛି ଲେଖାଯାଇ ନାହିଁ। ଏଥିସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୬ରେ ବିହାରର ରାଜ୍ୟପାଳ ଥିବା ସମୟରେ ପାଥରୀ ଗସ୍ତ କରିଥିଲେ। ସାଇ ସ୍ମୃତି ଶତାବ୍ଦୀ ବର୍ଷ ଅବସରରେ ନିଜ ଭାଷଣରେ ସେ ପାଥରୀକୁ ସାଇ ବାବାଙ୍କ ଜନ୍ମସ୍ଥଳୀ ବୋଲି କହିଥିଲେ ଏବଂ ଏହାର ବିକାଶ ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ।
Comments are closed.