ନିଲାମ ହେବ ନିରବଙ୍କ ସମ୍ପତ୍ତି

ନୂଆଦିଲ୍ଲୀ: ୧୪ ହଜାର କୋଟି ଟଙ୍କା ଠକି ବିଦେଶକୁ ପଳାଇଥିବା ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଜବତ ସମ୍ପତ୍ତି ନିଲାମ ହେବ। ନିଲାମ ହେବାକୁ ଥିବା ଏହି ସମ୍ପତ୍ତି ମଧ୍ୟରେ ନିରବଙ୍କ ଦାମୀ କାର, ଘଣ୍ଟା, ହ୍ୟାଣ୍ଡ୍ବ୍ୟାଗ୍ ଏବଂ ବିରଳ କଳାକୃତି ରହିଛି। ଇଡି ପକ୍ଷରୁ ନିଲାମ ଦାୟିତ୍ବ ସାଫ୍ରନ୍ଆର୍ଟ ନାମକ କମ୍ପାନିକୁ ଦିଆଯାଇଛି। ଆସନ୍ତା ମାସ ୨୭ ତାରିଖରେ ମୁମ୍ବାଇରେ କମ୍ପାନି ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୩-୪ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିଲାମ କରିବ।
ନିଲାମରେ ୧୫ଟି ପ୍ରସିଦ୍ଧ କଳାକୃତି ରହିଛି। ଏହାର ମୂଲ୍ୟ ପ୍ରାୟ ୧୨ରୁ ୧୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସେହିଭଳି ଏମ୍ ଏଫ୍ ହୁସେନଙ୍କ ଦ୍ବାରା ଅଙ୍କା ଯାଇଥିବା ମହାଭାରତ ଶୃଙ୍ଖଳାର ଏକ ତୈଳ ଚିତ୍ର ମଧ୍ୟ ନିଲାମ ହେବ। ଏହାର ମୂଲ୍ୟ ମଧ୍ୟ ୧୨ରୁ ୧୮ କୋଟି ଟଙ୍କା ହେବ। ଭି ଏସ ଗାୟତୋଣ୍ଡେଙ୍କ ଏକ ପେଣ୍ଟିଙ୍ଗ ବି ନିଲାମ ହେବ। ଏହି ପେଣ୍ଟିଙ୍ଗ୍ର ମୂଲ୍ୟ ୭ରୁ ୯ କୋଟି ଟଙ୍କା ହେବ। ମନଜିତ୍ ବାୱାଙ୍କ ଦ୍ବାରା ତିଆରି ହୋଇଥିବା କୃଷ୍ଣଙ୍କର ଏକ ଚିତ୍ରକୁ ମଧ୍ୟ ନିଲାମ କରାଯିବ। ଏହି ଚିତ୍ରର ମୂଲ୍ୟ ୩ରୁ ୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏଥିସହ ଦୁଇଟି ମୂଲ୍ୟବାନ ହାତଘଣ୍ଟା, ୮୦ଟି ବ୍ରାଣ୍ଡେଡ୍ ହ୍ୟାଣ୍ଡବ୍ୟାଗ୍ ଆଦି ରହିଛି ବୋଲି ସାଫ୍ରନଆର୍ଟର ସିଇଓ ତଥା ସହ ପ୍ରତିଷ୍ଠାତା ଦିନେଶ ବାଜିରାନି କହିଛନ୍ତି। ନିଲାମ ହେବାକୁ ଥିବା ସାମଗ୍ରୀକୁ ଦିଲ୍ଲୀର ଓବରାୟ ହୋଟେଲରେ ଚଳିତମାସରେ ହେବାକୁ ଥିବା କଳାକୃତି ମେଳାରେ ପ୍ରଦର୍ଶନ କରାଯିବ।
Comments are closed.