Odisha Link
Bridging the Missing Links in Odisha

ବାଉନ୍ସର ଘଟଣାର ତଦନ୍ତ ପାଇଁ ପିସିସି ଗଠନ କଲା କମିଟି

ଭୁବନେଶ୍ବର: କଂଗ୍ରେସ ଭବନରେ ବାଉନସର ପଶିବା ଘଟଣାରେ ତଦନ୍ତ ପାଇଁ ଗଠନ ହେଲା କମିଟି। ଘଟଣାର ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ କରିଛି ପ୍ରଦେଶ କଂଗ୍ରେସ କମିଟି। ରାଜ୍ୟସଭା ସାଂସଦ ରଂଜୀବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ କଂଗ୍ରେସର ବରିଷ୍ଠ ନେତା ବଟକୃଷ୍ଣ ତ୍ରିପାଠୀ, ନିଶିକାନ୍ତ ମିଶ୍ର ସଦସ୍ୟ ରହିଛନ୍ତି। ତୁରନ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ପିସିସି ତରଫରୁ କୁହାଯାଇଛି।
ଗତ ୧୭ ତାରିଖରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ବୈଠକ ଚାଲିଥିବାବେଳେ କିଛି ନେତା କର୍ମୀ ବାହାରେ ଧାରଣା ଦେଇଥିଲେ। ଏପରିକି ପିସିସି ସଭାପତିଙ୍କୁ ପରିବର୍ତନ ପାଇଁ ଦାବି କରିଥିଲେ। ଏହି ସମୟରେ କଂଗ୍ରେସ ଭବନରେ କିଛି ବାଉଁସରଙ୍କୁ ଦେଖିବାକୁ ମିଳିଥିଲା। ଏମାନେ ଧାରଣା ଦେଉଥିବା କର୍ମୀଙ୍କୁ କାର୍ଯ୍ୟାଳୟରୁ ତଡି ଦେଇଥିଲେ।
ତେବେ ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କଂଗ୍ରେସ ଭବନରେ ବାଉନ୍ସର ଘଟଣା ହଟଚମଟ ସୃଷ୍ଟି କରିଥିଲା। ଏପରିକି ରାଜ୍ୟ ରାଜନୀତି କରିଡରେ କଂଗ୍ରେସ ଭବନର ବାଉନ୍ସର ପସିବା ବିବାଦ ଏକ ନୂଆ ଖୋରାକ ଯୋଗାଇଛି। କାହିଁକି ଏବଂ କେଉଁ ପରିସ୍ଥିତିରେ ବାଉନ୍ସର କଂଗ୍ରେସ ଭବନକୁ ପସିଲେ ତାହାର ସତ୍ୟାସତ୍ୟ ଅନୁଧ୍ୟାନ କରିବେ ପିସିସିର ୩ ଜଣିଆ କମିଟି।

Comments are closed.