Odisha Link
Bridging the Missing Links in Odisha

ସମାଜ ଶତବାର୍ଷିକ ସାଂସ୍କୃତିକ ସମାରୋହ ଉଦ୍‌ଯାପିତ

ଭୁବନେଶ୍ବର: ଆଜିଠାରୁ ୧୦୦ ବର୍ଷ ପୂର୍ବେ ପଣ୍ଡିତ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ ’ସମାଜ’ ନାମରେ ଯେଉଁ ଚାରା ଲଗାଇ ଥିଲେ ଆଜି ତାହା ମହାଦ୍ରୁମରେ ପରିଣତ ହୋଇଛି। ଏକ ଶତାବ୍ଦୀ ଧରି ଏହା ସେବା, ସଂଗ୍ରାମ, ତ୍ୟାଗର ବାର୍ତ୍ତା ଦେଉଛି ଏହି ମହାନ୍ ଅନୁଷ୍ଠାନ। ଏକ ଅଗ୍ରଣୀ ଖବରକାଗଜ ଭାବେ ସମାଜ ଆମର ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଉଦ୍ୟମ ଜାରି ରଖିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୁରୁବାର ସ୍ଥାନୀୟ ଉତ୍କଳ ମଣ୍ଡପ ଠାରେ ’ସମାଜ’ ଶତବାର୍ଷିକ ସାଂସ୍କୃତିକ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶା ହେଉଛି କଳାର ଦେଶ ଏବଂ ସବୁ ଓଡ଼ିଆ ହେଉଛନ୍ତି କଳାର ପୂଜାରୀ। ଓଡ଼ିଶା ମାଟି, ପାଣି, ପବନରେ କଳା ସଂସ୍କୃତିର ମହକ ଭରି ରହିଛି। ଓଡ଼ିଆ ଭାଷା, କଳା ଓ ସଂସ୍କୃତିର ପ୍ରସାର ପାଇଁ ସମାଜ ଯେଉଁ ଉଦ୍ୟମ ଆରମ୍ଭ କରିଛି ତାହା ବେଶ୍‌ ପ୍ରଶଂସନୀୟ। ଆଜି ମଧ୍ୟ ସମାଜରେ ଗୋପବନ୍ଧୁଙ୍କ ଆଦର୍ଶ ପ୍ରତିଫଳିତ ହେଉଛି। ଏକ ନିର୍ଭରଯୋଗ୍ୟ ଖବରକାଗଜ ଭାବେ ସମାଜର ବହୁତ ସୁନାମ ରହିଛି। ସମସ୍ତଙ୍କ ସହଯୋଗରେ ଆମର ସଂସ୍କୃତି ଅଧିକ ମଜଭୁତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଥିଲେ, ସମାଜ ଏକ ଖବରକାଗଜ ନୁହେଁ, ଏହା ଏକ ଆନ୍ଦୋଳନ। ନିଜର ନିରପେକ୍ଷତା ଯୋଗୁଁ ଆଜି ପ୍ରତ୍ୟେକ ଓଡ଼ିଆଙ୍କ ମନରେ ସମାଜ ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ସମାଜ ହେଉଛି ଆମ ଜାତୀୟ ଜୀବନର ଦର୍ପଣ, ଓଡ଼ିଆ ଜାତିରର ପ୍ରତିବିମ୍ବ ଓ ଓଡ଼ିଆ ଅସ୍ମିତାର ପରିଚାୟକ। ଆମ ଆଶା ଭରସାର ପ୍ରତୀକ। ସମାଜ ଆଉ ୧୦୦ ବର୍ଷ ପୂରଣ କରିବ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି, ’ସମାଜ’ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଦୀପକ ମାଲବ୍ୟ କହିଥିଲେ ଯେ ସମାଜର ଶତାବ୍ଦୀ ବର୍ଷରେ ଏପରି ଅଭିନବ ପ୍ରୟାସ ଆରମ୍ଭ ପୂର୍ବରୁ ଆମେ ପ୍ରତ୍ୟେକ ବର୍ଗର ଲୋଙ୍କ ମତାମତ ଗ୍ରହଣ କରିଥିଲୁ। କାରଣ ସମାଜ ପାଖରେ ଯଦି କିଛି ପୁଞ୍ଜି ଥାଏ ତେବେ ତାହା ହେଉଛି ରାଜ୍ୟବାସୀଙ୍କ ଆଶୀର୍ବାଦ। ଯେଉଁମାନେ ଆଜକୁ ୧୦୦ ବର୍ଷ ଧରି ଆମ ସହିତ ଚାଲି ଆସିଛନ୍ତି। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗରେ ଆମେ ତିନିଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ଭାରତର ବିବିଧତା ମଧ୍ୟରେ ଏକତାକୁ ପ୍ରଦର୍ଶିତ କରିବା ଉଦ୍ୟମ କରିଛୁ।

ଏହି ଅବସରରେ ବିଶିଷ୍ଟ ନାଟ୍ୟ ପ୍ରତିଭାଧର ପ୍ରଫେସର କାର୍ତ୍ତିକ ରଥଙ୍କୁ ଜୀବନବ୍ୟାପୀ ମଞ୍ଚ ସାଧନା ନିମନ୍ତେ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। ସଭାରେ ଲୋକସେବକ ମଣ୍ଡଳର କୋଷାଧ୍ୟକ୍ଷ ତଥା ସମାଜ ପରିଚଳାନା ମଣ୍ଡଳୀର କାର୍ଯ୍ୟନିର୍ବାହୀ ସମ୍ପାଦକ ଭୀମସେନ ଯାଦବ, ଲୋକସେବକ ମଣ୍ଡଳର ନୂଆଦିଲ୍ଲୀ ଶାଖା ସଭାପତି ଶ୍ରୀ ରାଜକୁମାର, ସମାଜର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସମାରୋହରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ସମାଜର ପ୍ରକାଶକ ମୁଦ୍ରାକର ନିରଞ୍ଜନ ରଥ ସ୍ବାଗତ ଭାଷଣ ଦେଇଥିବା ବେଳେ ସମାଜର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଓଡ଼ିଶାର ଲୋକନୃତ୍ୟ ରଣପା, ଦୁଲଦୁଲି, ଘୁମୁରା ସମେତ ରାଜ୍ୟ ବାହାରୁ ଆସିଥିବା ଶିଳ୍ପୀ ନୃତ୍ୟ, ସଙ୍ଗୀତ ପରିବେଷଣ କରିଥିଲେ।

Comments are closed.