ବିଧାନସଭା ପରିଦର୍ଶନ କଲେ ଡେ ଷ୍ଟାର୍ ହୋମ୍, ଜରାଉ, ମୋହନା, ଗଜପତିର ଅନ୍ତେବାସୀ
ଭୁବନେଶ୍ୱର : ଡେ ଷ୍ଟାର୍ ହୋମ୍, ଜରାଉ, ମୋହନା, ଗଜପତିର ଅନ୍ତେବାସୀମାନେ ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି । ଉକ୍ତ ଅନାଥାଶ୍ରମର ତତ୍ତ୍ୱାବଧାରକମାନଙ୍କ ସହିତ ସେମାନେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ସାକ୍ଷାତ କରିଥିଲେ । ବାଚସ୍ପତି ଡ. ପାତ୍ର ସେମାନଙ୍କୁ ଅଧ୍ୟୟନରେ ବ୍ରତୀ ହେବା ସହିତ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ । ସେମାନଙ୍କୁ ବାଚସ୍ପତି ଡ. ପାତ୍ର ଚକୋଲେଟ୍ ଦେଇ ଆପ୍ୟାୟିତ କରିଥିଲେ ।
ପରିଦର୍ଶନ ସମୟରେ ସେମାନେ ବିଧାନସଭାର ଗ୍ରନ୍ଥାଗାର, ବିଧାନସଭା ଗୃହ, ବିଧାନସଭା ପରିସରସ୍ଥ ଉଦ୍ୟାନ ଆଦି ବୁଲି ଦେଖିଥିଲେ ଏବଂ ବିଧାନସଭାର ବିଧିବ୍ୟବସ୍ଥା ଓ ଗୃହ ପରିଚାଳନା ସଂପର୍କରେ ମଧ୍ୟ ଅବଗତ ହୋଇଥିଲେ । ଏହି ଦଳରେ ପ୍ରଥମରୁ ଦଶମ ଶ୍ରେଣୀରେ ପଠନରତ ପ୍ରାୟ ୪୩ଜଣ ଛାତ୍ରଛାତ୍ରୀ ସାମିଲ ଥିଲେ ।
ଅନାଥାଶ୍ରମର କର୍ମଚାରୀ ଇସ୍ମାଇଲ୍ ମାଝୀ, ସିଆନ୍ ମାଝୀ, ଜୁଏଲ୍ ଶବରଙ୍କ ତତ୍ତ୍ୱାବଧାନରେ ଏହି ଛାତ୍ରଛାତ୍ରୀମାନେ ବିଧାନସଭା ବୁଲି ଦେଖିଥିଲେ । ଏହି ପରିଦର୍ଶନ ସମୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପୂର୍ଣ୍ଣଚନ୍ଦ୍ର ଦଳାୟି ଏବଂ ମାର୍ଶାଲ୍ ଦେବାଶିଷ ପ୍ରଧାନଙ୍କ ସମେତ ବିଧାନସଭାର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
Comments are closed.