Odisha Link
Bridging the Missing Links in Odisha

ବିଦେଶ ମାଟିରେ ବର୍ଷର ପ୍ରଥମ ମ୍ୟାଚ ଜିତିଲା ଭାରତ

ଅକଲାଣ୍ଡ: ଟିମ ଇଣ୍ଡିଆ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ କିଓ୍ବି ଦଳକୁ ମାତ୍‌ ଦେଇଛି। ୨୦୪ ରନର ବିଜୟ ଲକ୍ଷ୍ୟକୁ  ଟିମ୍  ଇଣ୍ଡିଆ ୪ଓ୍ବିକେଟ ହରାଇ ବିଜୟ ଲାଭ କରିଛି।  ଫଳରେ ୬ଓ୍ବିକଟରେ ନ୍ୟୁଜିଲାଣ୍ଡ ଟିମକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଶ୍ରେୟଶ ଆୟର(୫୮) ଓ କେ ଏଏ ରାହୁଲ(୫୬)ଙ୍କ ଦମଦାର ଅର୍ଦ୍ଧଶତକ ଏବଂ ବିରାଟଙ୍କ ୪୫ରନ ବଳରେ ପ୍ରଥମ ଟି-୨୦ ସହଜରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ଅଛି ଟିମ୍‌ ଇଣ୍ଡିଆ।

୨୦୪ ରନର ଲକ୍ଷ୍ୟର ପିଛା କରୁଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଅଭିଜ୍ଞ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା (୭) ରନକରି ଆଉଟ୍ ହୋଇଯାଇଥିଲେ। ରୋହିତଙ୍କ ପ୍ୟାଭିଲିୟନ୍ ଯିବା ପରେ ରାହୁଲ୍ ଓ କ୍ୟାପଟେନ୍ କୋହଲି ଜବରଦସ୍ତ ବ୍ୟାଟିଂ କରିଥିଲେ। ରାହୁଲ୍ ନିଜର ଆକର୍ଷଣୀୟ ଫର୍ମ ବଜାୟ ରଖି ମାତ୍ର ୨୩ ବଲରେ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ। ଅନ୍ୟପଟେ କୋହଲି ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ବୋଲିଂରେ ଭଲ କରିଥିବା ଦୁବେ (୧୩) ଚୌକା ଓ ଛକା ମାରି ଦର୍ଶକକୁ ମନୋରଞ୍ଜନ କରିଥିଲେ ହେଁ ବଡ଼ ସ୍କୋର କରିପାରିନଥିଲେ। ୧୪୨ ରନରେ ୪ ୱିକେଟ୍ ହରାଇବା ପରେ ଭାରତ ବ୍ୟାକଫୁଟକୁ ଚାଲିଆସିଥିଲା। କିନ୍ତୁ ଆୟର୍ ଓ ମନିଷ ରନ୍ ଗତି କାଏମ ରଖି ବ୍ୟାଟିଂ କରି ଭାରତର ବିଜୟକୁ ସହଜ କରିଦେଇଥିଲେ। ବିଶେଷକରି ଆୟର୍ କିୱି ବୋଲରଙ୍କ ଉପରେ ଆଧିପତ୍ୟ ବିସ୍ତାର କରି ଛକା ଓ ଚୌକା ବର୍ଷା କରିଥିଲେ।  ଗୋଟିଏ ଓଭର ବାକି ଥାଇ ବିଜୟ ଲାଭ କଲା ଟିମ୍ ଇଣ୍ଡିଆ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଇଶ ସୋଢ଼ୀ ୨ଟି, ସାଣ୍ଟନର୍ ଓ ବ୍ଲେୟାର୍ ଟିକନର୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Comments are closed.