ଜେଏନୟୁ ଛାତ୍ରଛାତ୍ରୀଙ୍କୁ ହାଇକୋର୍ଟ ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ଛାତ୍ରଛାତ୍ରୀଙ୍କୁ ମିଳିଛି ବଡ଼ ଆଶ୍ବସ୍ତି। ଜେଏନୟୁ କର୍ତ୍ତୃପକ୍ଷ ବର୍ତ୍ତମାନ ସ୍ଥିତିରେ ପୁରୁଣା ଫି’ ଆଧାରରେ ହିଁ ଛାତ୍ରଛାତ୍ରୀମାନଙ୍କୁ ପଞ୍ଜୀକରଣ ପାଇଁ ଅନୁମତି ଦିଅନ୍ତୁ ବୋଲି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିଳମ୍ବରେ ପଞ୍ଜୀକରଣ କରୁଥିବା ଶିକ୍ଷାର୍ଥୀଙ୍କ ଠାରୁ ମଧ୍ୟ କୌଣସି ପ୍ରକାରର ଫାଇନ ଆଦାୟ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।। ଏବେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୮ରେ କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି।
ଶୁଣାଣି ବେଳେ ଆଜି କୋର୍ଟରେ ଜେଏନୟୁ ଛାତ୍ର ସଂଗଠନ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ କପିଲ ଶିବଲ କହିଛନ୍ତି ଯେ ଫି’କୁ ମନଇଚ୍ଛା ବୃଦ୍ଧି କରିବା ବେଆଇନ। ସେହିପରି ହଷ୍ଟେଲ ମ୍ୟାନୁଆଲକୁ ପରିବର୍ତ୍ତନ କରିବାର ଅଧିକାର ଜେଏନୟୁରେ ଗଠିତ ଉଚ୍ଚସ୍ତରୀୟ କମିଟିର ନାହିଁ। ଜେଏନୟୁ ପ୍ରଶାସନ ପକ୍ଷରୁ ଅଧିକାଂଶ ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି କରାଯାଇଥିଲା।
ଫଳରେ ସେମାନେ ଭୟରେ ଫି’ ଜମା କରିଛନ୍ତି। ତେଣୁ ଏବେ ପ୍ରଶାସନ ବର୍ଦ୍ଧିତ ଫି’କୁ ପ୍ରତ୍ୟାହାର କରୁ। ଏଥିସହ ଯେଉଁମାନେ ଅଧିକ ଫି’ ଜମା କରିଛନ୍ତି, ତା’କୁ ମଧ୍ୟ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ଫେରସ୍ତ କରାଯାଉ। ଏହାବାଦ୍ ହଷ୍ଟେଲ୍ ମ୍ୟାନୁଆଲ ଡ୍ରାଫ୍ଟରେ ଯେଉଁ ସବୁ ପରିବର୍ତ୍ତନ ହୋଇଛି, ତା ଉପରେ ମଧ୍ୟ ରୋକ ଲଗାଇବାକୁ ସେ ଦାବି କରିଥିଲେ।
Comments are closed.