Odisha Link
Bridging the Missing Links in Odisha

ଠିକାଦାର ଦିଲୀପ ଖଟେଇ ଅଟକ!

ଭୁବନେଶ୍ବର: ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟାରେ ଠିକାଦାରୀ ସଂସ୍ଥାର ମୁଖ୍ୟ ଦିଲୀପ ଖଟେଇଙ୍କୁ ପୋଲିସ୍‌ ଅଟକ ରଖିଥିବା ସୂଚନା ମିଳିଛି। ଭୁବନେଶ୍ବର ଡିପିସିଙ୍କୁ ଦ୍ବାରା ଠିକାଦାର ଦିଲୀପ ଅଟକ ଅଛନ୍ତି। ଏନେଇ ସଂସ୍ଥାର କାଗଜପତ୍ର ଯାଞ୍ଚ କରିବା ସହ ଦିଲୀପଙ୍କୁ ପଚରାଉଚରା ଜାରି ରଖିଛି।
ସୂଚନାଯୋଗ୍ୟ ଯେ, ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏହି ଅଘଟଣ ଘଟିଥିଲା। ବିମାନବନ୍ଦରର ଟର୍ମିନାଲ୍-୧ ସହ ଟର୍ମିନାଲ୍-୨କୁ ସଂଯୋଗ କରୁଥିବା ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିଥିଲା। ପ୍ରାୟ ୧୦ ହଜାର ବର୍ଗ ଫୁଟ୍‌ର ଛାତ ଭୁଶୁଡ଼ି ପଡ଼ିଛି। ଆହତ ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ଗତକାଲି ରାତିରେ ବିଲ୍ଡିଂ କାମ ଚାଲିଥିଲା। ଛାତ ଢଳେଇ ପରେ ୧୦ରୁ ୧୨ ଜଣ ଶ୍ରମିକ ବିଲ୍ଡିଂ କାମରେ ନିୟୋଜିତ ଥିଲେ। ଏହି ସମୟରେ ହଠାତ୍ ଛାତଟି ଭୁଶୁଡ଼ି ପଡ଼ିଥିଲା।
ଖବରପାଇ ଘଟଣାସ୍ଥଳରେ ଏଡିଅରଏଫ୍‌ , ସିଆଇଏସଏଫ୍‌, ଓଡିଆରଏଏଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ପ୍ରାୟ ୩ରୁ ୪ ଘଣ୍ଟା ଯାଏ ଉଦ୍ଧାର କାର୍ଯ୍ୟ ଚାଲିଥିଲା। କଂକ୍ରିଟ୍ ଅତଡ଼ାକୁ ତନ୍ନତନ୍ନ କରି ଯାଞ୍ଚ କରାଯିବା ସହ ଡଗ୍ ସ୍ୱାଡ୍‌ ଦ୍ୱାର ସର୍ଚ୍ଚ ଅପରେସନ୍ କରାଯାଇଥିଲା।
ଦିଲ୍ଲୀପ କନ୍‌ଷ୍ଟ୍ରକ୍ସନ ନାମକ ଏକ ସଂସ୍ଥା ଏହି ନିର୍ମାଣ କାର୍ଯ୍ୟ କରୁଥିଲା। ହେଲେ ଏ ଅଘଟଣ ନେଇ ସଂସ୍ଥା ପକ୍ଷରୁ ଭାରି ଖାମଖିଆଲ ଢଙ୍ଗରେ ପ୍ରତିକ୍ରିୟା ଦିଆଯାଇଛି। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଏ ଅଘଟଣ ପାଇଁ ଶ୍ରମିକମାନଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଢଳେଇ କାମ ସରିଯାଇଥିଲା। ଅଧିକ ଓଜନ ପଡ଼ିବାରୁ ଛାତ ଭୁଶୁଡ଼ି ପଡ଼ିଲା। ନିର୍ମାଣ ପୂର୍ବରୁ ସବୁ କିଛି ଠିକ୍ ଭାବେ ଯାଞ୍ଚ କରାଯାଇଥିଲା। ଶ୍ରମିକଙ୍କ ସୁରକ୍ଷା ନେଇ ବି ବ୍ୟବସ୍ଥା କରାଯାଇଥିଲା। ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇ ନଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ଠିକାଦାର ସଂଘ ସଭାପତି ପ୍ରଭାତ ଦାସ କହିଛନ୍ତି ଯେ ସେଣ୍ଟ୍ରିଂକୁ କର୍ତ୍ତୃପକ୍ଷ ଠିକ୍‌ ଭାବେ ଯାଞ୍ଚ କରିବାର ଥିଲା। ଏ ଅଘଟଣ ପାଇଁ ସଂପୃକ୍ତ କଣ୍ଟ୍ରାକ୍ଟର ଓ ଇଞ୍ଜିନିୟର ଦାୟୀ। ଉଭୟଙ୍କୁ ଗିରଫ କରି ଜେଲ୍‌ ପଠାଇଲେ ଏଭଳି ଘଟଣାର ପୁନରାବୃତ୍ତି ଘଟିବ ନାହିଁ।

Comments are closed.