ରଥଯାତ୍ରା ପାଇଁ ପୁରୀରେ ପହଁଞ୍ଚିଲା ରଥକାଠ
ପୁରୀ: ରଥଯାତ୍ରା ପାଇଁ ନୟାଗଡ ବନଖଣ୍ଡରୁ ଦୁଇଟି ଟ୍ରକରେ ୫୩ ଖଣ୍ଡ ଧଉରା ଓ ଅସନ କାଠ ଆସି ପୁରୀରେ ପହଁଞ୍ଚିଛି । ଶ୍ରୀପଞ୍ଚମୀ ଦିନ କାଠ ଚିରା ଅନୁକୂଳ ହେବ।
ଦୁଇଟି ଟ୍ରକରେ ମୋଟ ୫୩ ଖଣ୍ଡ କାଠ ଆସି ପୁରୀରେ ପହଞ୍ଚିଛି। ନୟାଗଡ ବନଖଣ୍ଡରୁ ଅସନ ଓ ଧଉରା କାଠ ବୋଝେଇ ହୋଇ ଆସିଛି। ଏହି ୫୩ ଖଣ୍ଡ କାଠ ମଧ୍ୟରେ ୨୦ ଓ ୧୨ ଫୁଟର ଅସନ ଓ ଧଉରା ୨ଟି ଟ୍ରକ ଯୋଗେ ରଥଖଳାକୁ ପଠାଯାଇଛି। ତେବେ ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଲାଗି ନୟାଗଡ ବନଖଣ୍ଡର ଦଶପଲ୍ଲା ଜଙ୍ଗଲରୁ କାଠ ଆସିଥାଏ।
ପରମ୍ପରା ଅନୁଯାୟୀ, ରଥଯାତ୍ରାର ନୀତି ମାଘ ମାସ ଅର୍ଥାତ୍ ଫେବୃଆରୀ ମାସରୁ ହିଁ ଆରମ୍ଭ ହୋଇଥାଏ। ଜଙ୍ଗଲରୁ କାଠ ଅଣାଯାଇ ବଡ଼ଦାଣ୍ଡର ରଥଖଳାରେ ପବିତ୍ର ଅକ୍ଷୟ ତୃତୀୟାରୁ ପୂଜା ହୋଇ କାଠ କଟା କାର୍ଯ୍ୟ ଆରମ୍ଭ ହୋଇଥାଏ। ଏହାପରେ ମୁଖ୍ୟ ବିଶ୍ୱକର୍ମା ମହାରଣା ସେବକଙ୍କ ନିର୍ଦ୍ଦେଶାନୁସାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ ।
Comments are closed.