Odisha Link
Bridging the Missing Links in Odisha

ଏୟାରପୋର୍ଟ ଅଘଟଣର ପ୍ରାରମ୍ଭିକ ଯାଞ୍ଚ ଶେଷ

ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦର ନିର୍ମାଣଧିନ ଛାତ ଭୁଶୁଡିବା ଘଟଣାର ଯାଞ୍ଚ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନ ବନ୍ଦ ନିର୍ଦ୍ଦେଶକ ଭି. ରାଓ। ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ପ୍ରାରମ୍ଭିକ ଯାଞ୍ଚ ଶେଷ ହୋଇଛି। ସେମାନେ ତଦନ୍ତ ରିପୋର୍ଟ କର୍ତ୍ତୃପକ୍ଷଙ୍କୁ ଦେବେ କହିଲେ ନିର୍ଦ୍ଦେଶକ । ପରବର୍ତ୍ତୀ ପର୍ଯ୍ୟାୟରେ ତଦନ୍ତ ଏକ କମିଟି ଆସିବ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗତକାଲି ରାତିରେ ଏକ ବଡ଼ ଧରଣର ଅଘଟଣ ଘଟିଥିଲା। ବିମାନବନ୍ଦରର ଟର୍ମିନାଲ୍-୧ ସହ ଟର୍ମିନାଲ୍-୨କୁ ସଂଯୋଗ କରୁଥିବା ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିଥିଲା। ପ୍ରାୟ ୧୦ ହଜାର ବର୍ଗ ଫୁଟ୍‌ର ଛାତ ଭୁଶୁଡ଼ି ପଡ଼ିଛି। ଆହତ ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ଗତକାଲି ରାତିରେ ବିଲ୍ଡିଂ କାମ ଚାଲିଥିଲା। ଛାତ ଢଳେଇ ପରେ ୧୦ରୁ ୧୨ ଜଣ ଶ୍ରମିକ ବିଲ୍ଡିଂ କାମରେ ନିୟୋଜିତ ଥିଲେ। ଏହି ସମୟରେ ହଠାତ୍ ଛାତଟି ଭୁଶୁଡ଼ି ପଡ଼ିଥିଲା।

ଖବରପାଇ ଘଟଣାସ୍ଥଳରେ ଏନଡିଆରଏଫ, ସିଆଇଏସଏଫ, ଓଡ଼ିଆରଏଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ପ୍ରାୟ ୩ରୁ ୪ ଘଣ୍ଟା ଯାଏ ଉଦ୍ଧାର କାର୍ଯ୍ୟ ଚାଲିଥିଲା। କଂକ୍ରିଟ୍ ଅତଡ଼ାକୁ ତନ୍ନତନ୍ନ କରି ଯାଞ୍ଚ କରାଯିବା ସହ ଡଗ୍ ସ୍ୱାଡ୍‌ ଦ୍ୱାର ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଦିଲ୍ଲୀପ କନ୍‌ଷ୍ଟ୍ରକ୍ସନ ନାମକ ଏକ ସଂସ୍ଥା ଏହି ନିର୍ମାଣ କାର୍ଯ୍ୟ କରୁଥିଲା। ହେଲେ ଏ ଅଘଟଣ ନେଇ ସଂସ୍ଥା ପକ୍ଷରୁ ଭାରି ଖାମଖିଆଲ ଢଙ୍ଗରେ ପ୍ରତିକ୍ରିୟା ଦିଆଯାଇଛି। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଏ ଅଘଟଣ ପାଇଁ ଶ୍ରମିକମାନଙ୍କୁ ଦାୟୀ କରିଥିଲେ।

ସେପଟେ ଏୟାରପୋର୍ଟ ଟ୍ରାଜେଡି ପରେ କୌଣସି ରାଜନୈତିକ ଦଳର ପ୍ରତିକ୍ରିୟା ଆସିବା ପୂର୍ବରୁ ପ୍ରଥମେ ବିଜେଡି ନିଜ ଆଡୁ ବିଜେପିକୁ ରାଜନୀତି ନକରିବାକୁ ପରାମର୍ଶ ଦେବାକୁ ନେଇ ରାଜନୀତି ତେଜିଛି। ବିଜେପି ପ୍ରଶ୍ନ କରିଛି ଠିକାଦାର ଦିଲୀପ ଖଟେଇ କିଏ? ଶାସକ ଦଳ ସାଂସଦଙ୍କ ସହ ତାଙ୍କର କଣ ସଂପର୍କ ? ସରକାରଙ୍କ କେଉଁ କେଉଁ ଠିକା କାମ ତାଙ୍କୁ ଦିଆଯାଇଛି ? ଦିଲୀପ ଖଟେଇଙ୍କୁ ସୁରକ୍ଷା ଦେବାକୁ ଯାଇ ଦଳ ଆଗକୁ ଆସୁନାହିଁ ତ ବୋଲି ପ୍ରଶ୍ନ କରିଛି। ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ ଘଟଣାର ସିବିଆଇ ତଦନ୍ତ ଦାବି କରିଥିବା ବେଳେ ପିସିସି ସଭାପତି କହିଛନ୍ତି ଦୁର୍ଘଟଣା ପାଇଁ ବିଜେପି ବିଜେଡି କାଦୁଅ ଫିଙ୍ଗା କେବଳ ଲୋକ ଦେଖାଣିଆ।

Comments are closed.