ନିର୍ଭୟା ମାମଲାର ପୁଣି ଶୁଣାଣି
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ଫେବୃଆରୀ ୧ ତାରିଖରେ ଦିଆଯିବ ଫାଶୀ। ଏନେଇ ପଟିଆଲ କୋର୍ଟ ସାନି ତାରିଖ ଧାର୍ଯ୍ୟ କରିଛନ୍ତି। ଅନ୍ୟ ପକ୍ଷରେ ୪ ଦୋଷୀଙ୍କ ମଧ୍ୟରୁ ଦୋଷୀ ମୁକେଶ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ରାଷ୍ଟ୍ରପତି ମୁକେଶ ସିଂହର ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ। ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ତରବରିଆ ଭାବେ ଖାରଜ କରିଥିବା ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ମୁକେଶ। ମୁକେଶ ସିଂହର ଓକିଲ ଏହି ଆବେଦନକୁ ଶୀଘ୍ର ଶୁଣାଣି ପାଇଁ ଆବେଦନ କରିଥିଲେ। ଏନେଇ ଦୋଷୀ ମୁକେଶର ଜରୁରୀ ଶୁଣାଣି ପାଇଁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ। ଫେବୃଆରୀ ୧ ରେ ଫାଶୀ ଥିବାରୁ ଏହି ମାମଲା ଗୁରୁତ୍ବ ବହନ କରେ ବୋଲି କହିଲେ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଏସ.ଏ ବୋବଡ଼େ।
କୋର୍ଟକୁ ପରାମର୍ଶ ଦେଇ ଜଷ୍ଟିସ ଏସ.ଏ ବୋବଡ଼େ କହିଲେ ଯେ, ଫାଶୀ ଖୁଣ୍ଟରେ ଝୁଲିବା ପାଇଁ ଅଳ୍ପ ସମୟ ରହିଛି। ତେଣୁ କୋର୍ଟ ମୁକେଶର ଆବେଦନକୁ ପ୍ରଥମେ ଶୁଣାଣି କରିବା ଦରକାର। ଆବେଦନକାରୀର ଫାଶୀ ଆଉ ତିନି ଦିନ ପରେ ରହିଛି। ତେଣୁ ତାଙ୍କର ଆବେଦନକୁ ପ୍ରାଥମିକତା ଦେବା ଦରକାର। ସୂଚନାଯୋଗ୍ୟ, ଜାନୁଆରୀ ୧୭ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ।
Comments are closed.