Odisha Link
Bridging the Missing Links in Odisha

ବଜେଟ୍‌ ପାଇଁ ନିର୍ମଳାଙ୍କ ୫ ଜଣିଆ ଟିମ୍‌

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏନେଇ ନିର୍ମଳାଙ୍କ ୫ ଜଣିଆ ବଜେଟ୍‌ ଟିମ୍‌ ଗଠନ ହୋଇଛି। ଏହି ଟିମ୍‌ରେ ଅର୍ଥ ସଚିବ ରାଜୀବ କୁମାର, ଅର୍ଥନୈତିକ ବ୍ୟାପର ସଚିବ ଅତନୁ ଚକ୍ରବର୍ତୀ, ବ୍ୟୟ ସଚିବ ଟି ଭି ସୋମନାଥନ, ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ଓ ପୁଞ୍ଜିପ୍ରତ୍ୟାହାର ସଚିବ ତୁହିନ କାନ୍ତ ପାଣ୍ଡେ ରହିଛନ୍ତି। ଏହି ପାଞ୍ଚ ଜଣ ପ୍ରଚ୍ଛଦରେ ରହି ବଜେଟ୍‌କୁ ଚୂଡ଼ାନ୍ତ ରୂପ ଦେଉଛନ୍ତି।

ରାଜୀବ କୁମାର ହେଉଛନ୍ତି ଅର୍ଥ ମନ୍ତ୍ରଣାଳୟର ସେ ବରିଷ୍ଠ ଅଧିକାରୀ। ସରକାରୀ ବ୍ୟାଙ୍କଗୁଡ଼ିକୁ ନୂତନ ପାଣ୍ଠି ପ୍ରଦାନ କରିବା ଏବଂ ବ୍ୟାଙ୍କଗୁଡ଼ିକ ମଧ୍ୟରେ ମିଶ୍ରଣ କରିବା କ୍ଷେତ୍ରରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ବ୍ୟାଙ୍କ କ୍ଷେତ୍ରରେ ରହିଥିବା ସମସ୍ୟା ପାଇଁ ସେ ମୂଲ୍ୟବାନ ପ୍ରସ୍ତାବ ଦେବାର ସମ୍ଭାବନା ରହିଛି। ଅତନୁ ଚକ୍ରବର୍ତୀ ଗତ ଜୁଲାଇରେ ଅର୍ଥନୈତିକ ବ୍ୟାପାର ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ବଜେଟ୍‌ ନିଅଣ୍ଟର ମୁକାବିଲା କରିବା ପାଇଁ ସେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇପାରନ୍ତି। ଟି ଭି ସୋମନାଥନଙ୍କ କାମ ହେଉଛି ସରକାରୀ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ହାସଲ କରିବା। ଅଜୟ ଭୂଷଣ ପାଣ୍ଡେଙ୍କୁ ରାଜସ୍ବ ବଢ଼ାଇବାର ଗୁରୁ ଦାୟିତ୍ବ ନ୍ୟସ୍ତ କରାଯାଇଛି। ପ୍ରତ୍ୟକ୍ଷ ଟିକସ କୋଡ୍‌ରେ ଥିବା କେତେକ ପ୍ରସ୍ତାବକୁ ଲାଗୁ କରିବା ଉପରେ ସେ ଜୋର ଦେଇପାରନ୍ତି। ତୁହିନକାନ୍ତ ପାଣ୍ଡେଙ୍କ ଉପରେ ଏୟାର ଇଣ୍ଡିଆ ଓ ଅନ୍ୟାନ୍ୟ ସରକାରୀ କଂପାନିକୁ ବିକ୍ରି କରିବାର ଦାୟିତ୍ବ ରହିଛି। ପୁଞ୍ଜିପ୍ରତ୍ୟାହାର ଜରିଆରେ ସରକାରଙ୍କ ପାଇଁ କିଭଳି ପାଣ୍ଠି ଯୋଗାଡ଼ କରାଯାଇପାରିବ ସେ ନେଇ ପାଣ୍ଡେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇପାରନ୍ତି।

Comments are closed.