ଘୁଞ୍ଚିପାରେ ନିର୍ଭୟା ଦୋଷୀଙ୍କ ଫାଶି!
ନୂଆଦିଲ୍ଲୀ: ନିର୍ଭୟା କାଣ୍ଡର ଦୋଷୀଙ୍କ ଫାଶି ଘୁଞ୍ଚିବା ନେଇ ଆଶଙ୍କା ପ୍ରକାଶ ପାଇଛି। କାରଣ ଫାଶି ଘୁଞ୍ଚାଇବାକୁ ଦୋଷୀଙ୍କ ଓକିଲ ଦିଲ୍ଲୀ କୋର୍ଟ ଯାଇଛନ୍ତି। ନିର୍ଦ୍ଧାରିତ ଫେବୃଆରୀ ୧ ଉପରେ ରହିତାଦେଶ ପାଇଁ ଦୋଷୀଙ୍କ ଓକିଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିର୍ଭୟା କାଣ୍ଡର ୪ ଜଣ ଦୋଷୀଙ୍କୁ ଫେବୃଆରୀ ୧ ତାରିଖ ଦିନ ଫାଶି ଦେବାକୁ ଦିନ ଧାର୍ଯ୍ୟ ହୋଇଥିବାବେଳେ ଏହି ତାରିଖ ଏବେ ଘୁଞ୍ଚିବା ନେଇ ଆଶଙ୍କା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ, ଗତକାଲି ନିର୍ଭୟା ଦୋଷୀ ମୁକେଶର ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ନିର୍ଭୟା ଦୋଷୀଙ୍କ ଓକିଲ ଏ.ପି ସିଂହ କହିଥିଲେ ଯେ, ଆଇନ ଦେଇଥିବା ସୁଯୋଗ ସରିନାହିଁ। ଆହୁରି ଅନେକ ବାକି ଅଛି। ମୁକେଶ ପାଇଁ ଆହୁରି ଆନେକ ଆଇନଗତ ପଦକ୍ଷେପ ନିଆଯାଇପାରିବ। ଆଗକୁ ଅକ୍ଷୟର କୁ୍ୟରେଟିଭ ପିଟିସନ ଫାଇଲ କରାଯିବ। ଅକ୍ଷୟ ଜେଲରେ ସୁଧୁରିଛି। ତା’ର ବୁଢା ବାପା ମା’, ଛୋଟ ପିଲା ଅଛନ୍ତି। ପବନ ଘଟଣା ବେଳେ ନାବାଳକ ଥିଲା। ତାକୁ ନେଇ ବି ଅପିଲ କରାଯିବ। କେବଳ ଚାପରେ ପଡ଼ି ଏଭଳି ତରବରିଆ ରାୟ ଆସୁଛି ବୋଲି ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂହ କହିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜକ୍ଷମା ନମିଳିବାରୁ ମୁକେଶ କରିଥିବା ପିଟିସନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ଅବସରରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ରାଷ୍ଟ୍ରପତି ସବୁ ଦିଗରୁ ଅନୁଧ୍ୟାନ କରିଛନ୍ତି। ନିର୍ଯାତନାକୁ ଆଳ କରାଯାଇ ପାରିବ ନାହିଁ। ଦୋଷୀଙ୍କ ଅଭିଯୋଗର ଯଥାର୍ଥତା ନାହିଁ ବୋଲି ସୁପ୍ରିମକୋର୍ଟ ଗତକାଲି କହିଥିଲେ।
Comments are closed.