ଅକ୍ଷୟ ସିଂହର କ୍ୟୁରେଟିଭ୍ ପିଟିସନ୍ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚାରି ନିର୍ଭୟା ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂହର କ୍ୟୁରେଟିଭ ପିଟିସନକୁ ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏନ୍ ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଆର ଏଫ୍ ନରିମାନ, ଜଷ୍ଟିସ ଆର ଭାନୁମତି ଓ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଏକ ୫ ଜଣିଆ ଖଣ୍ଡପୀଠ ଏହି କ୍ୟୁରେଟିଭ୍ ପିଟିସନର ଶୁଣାଣି କରି ଏହାକୁ ଖାରଜ କରିଦେଇଛନ୍ତି। ଆଜି ଏହି କ୍ୟୁରେଟିଭ୍ ପିଟିସନର ଶୁଣାଣି କୋର୍ଟରେ ନ ହୋଇ ବିଚାରପତିଙ୍କ ବ୍ୟକ୍ତିଗତ ଚ୍ୟାମ୍ବର ଭିତରେ ହୋଇଥିବା ଜାଣିବାକୁ ମିଳିଛି।
ଏହି ମାମଲାରେ ଅନ୍ୟ ୨ଜଣ ଦୋଷୀ ମୁକେଶ ସିଂହ ଓ ବିନୟ ଶର୍ମାଙ୍କ ପକ୍ଷରୁ ଆଗତ କ୍ୟୁରେଟିଭ୍ ପିଟିସନର ଶୁଣାଣି କରି ଏହି ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଜାନୁଆରି ୧୪ ତାରିଖରେ କ୍ୟୁରେଟିଭ୍ ପିଟିସନକୁ ଖାରଜ କରିଦେଇଥିଲେ। ଏହାପରେ ଦୋଷୀ ମୁକେଶ ସିଂହ ରାଜକ୍ଷମା ପାଇଁ ଆବେଦନ କରିଥିଲା। ଏହାକୁ ମଧ୍ୟ ରାଷ୍ଟ୍ରପତି ଖାରଜ କରି ଦେଇଥିଲେ। ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ଆବେଦନ ଖାରଜକୁ ଚାଲେଞ୍ଜ କରି ମୁକେଶ ପୁନର୍ବାର ଆଉ ଏକ ପିଟିସନ ସୁପ୍ରିମ୍ କୋର୍ଟରେ ଆଗତ କରିଥିଲା। ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ ଆର ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏ ଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହି ପିଟିସନର ଶୁଣାଣି କରିବା ପରେ ଆଜି ଏହାକୁ ଖାରଜ କରି ଦେଇଛନ୍ତି।
ଅନ୍ୟପଟେ ପୁଣି ଘଞ୍ଚିପାରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ। ଦିଲ୍ଲୀ କୋର୍ଟରେ ତାରିଖ ଘୁଞ୍ଚାଇବାକୁ ଦୋଷୀଙ୍କ ଓକିଲ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟରେ ଦୋଷୀ ଅକ୍ଷୟର କ୍ୟୁରେଟିଭ ପିଟିସନ ମାମଲା ବିଚାରଧୀନ ଥିବାରୁ ତାରିଖ ଘୁଂଚାଇବାକୁ ଆବେଦନ କରିଥିଲା। ସେହିପରି ରାଜକ୍ଷମା ପାଇଁ ଆବେଦନ କରିଛି ଦୋଷୀ ବିନୟ ଶର୍ମା। ତେଣୁ ଦୋଷୀ ମାନଙ୍କ ପାଖରେ ନ୍ୟାୟ ପାଇବା ପାଇଁ ଅନେକ ବିକଳ୍ପ ରହିଥିବା ଓକିଲ କହିଛନ୍ତି । ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିବା ପରେ ଫାଶୀ ତାରିଖ ଟଳିବା ଆଶଙ୍କା ସୃଷ୍ଟି ହୋଇଛି। ରାଜକ୍ଷମା ଆବେଦନ ଖାରଜ ହେଲେ ମଧ୍ୟ ଜେଲ ମାନୁଆଲ ଅନୁସାରେ ଦୋଷୀଙ୍କୁ ଫାଶୀ ପୂର୍ବରୁ ୧୪ ଦିନର ମହଲତ ଦିଆଯାଇଥାଏ। ତେଣୁ ଫେବୃୟାରୀ ୧ରେ ଫାଶୀ ଦଣ୍ଡ କାର୍ଯ୍ୟକାରୀ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଫାଶୀ ତାରିଖ ପାଖେଇ ଆସୁଥିବା ବେଳେ ଏଥିରୁ ବର୍ତିବା ପାଇଁ ଦୋଷୀମାନେ ଆଇନଗତ ବିକଳ୍ପ ବ୍ୟବହାର କରୁଛନ୍ତି ।
Comments are closed.