କରୋନା ଭାଇରସ୍ ପାଇଁ ମକ୍ଡ୍ରିଲ୍, ୪ ଜଣଙ୍କ ସ୍ୱାବ୍ ଓ ରକ୍ତ ନମୁନା ପରୀକ୍ଷା ପାଇଁ ପୁନେ ପଠାଗଲା

ଭୁବନେଶ୍ବର: ଆଜି ନଭେଲ କରୋନା ଭୂତାଣୁର ସମ୍ଭାବ୍ୟ ସଂକ୍ରମଣ ମୁକାବିଲା ପାଇଁ ଏକ ମକ୍ଡି୍ରଲ୍ ଆୟୋଜିତ ହୋଇଯାଇଛି। ଡିଏମ୍ଇଟି ପ୍ରଫେସର ଡା. ସିବିକେ ମହାନ୍ତି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ଆଜିତ୍ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡା.ଧନଞ୍ଜୟ ଦାସଙ୍କ ନେତୃତ୍ୱରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ଅନୁଷ୍ଠିତ ମକ୍ଡିଲ୍ରେ ସରକାରୀ ଗାଇଡ୍ଲାଇନ୍ର ତ୍ୱରିତ ପଦକ୍ଷେପ ଅନୁସାରେ ପ୍ରଥମେ ଡାକ୍ତର ସମ୍ଭାବ୍ୟ ସଂକ୍ରମଣ ଲକ୍ଷଣ ଥିବା ରୋଗୀଙ୍କୁ ଚିହ୍ନଟ ପରେ ସଂକ୍ରମଣ ପ୍ରତିରୋଧ ବ୍ୟବସ୍ଥା ଅନୁସାରେ ଆମ୍ବୁଲାନ୍ସରେ ଅଣାଯାଇ କ୍ୟାପିଟାଲ୍ ହସ୍ପିଟାଲ୍ ଆଇସୋଲେସନ୍ ଓ୍ୱାର୍ଡରେ ପହଞ୍ଚା ଯାଇଥିଲା। ପରେ ଡାକ୍ତରୀ ପରୀକ୍ଷା ପରେ ସ୍ୱାବ୍ ଓ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା।
ଜାନୁଆରୀ ୧୫ ତାରିଖ ପରେ କରୋନା ସଂକ୍ରମିତ ଦେଶରୁ ଓଡ଼ିଶା ଫେରିଥିବା ୪ ଜଣଙ୍କୁ ହୋମ୍ ଆଇସୋଲେସନ୍ରେ ରଖାଯିବା ସହ ଆଜି ସେମାନଙ୍କର ସ୍ୱାବ୍ ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନ୍ୟାସନାଲ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଭାଇରୋଲୋଜି ପୁନେକୁ ପଠାଇବାର ବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ଏକ ସର୍ଭେଲାନ୍ସ ଟିମ୍ ଏହି ଆଇସୋଲେଟେଡ୍ ବ୍ୟକ୍ତିମାନଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି। ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ସେମାନେ ନିରୀକ୍ଷଣ ମଧ୍ୟରେ ରହିବେ।
ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସଚିବ, ଜନସ୍ୱାସ୍ଥ୍ୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସ କରୋନା ସଂକ୍ରମଣ ପ୍ରତିରୋଧ ଦିଗରେ ନଜର ରଖିବା ସଙ୍ଗେ ସଙ୍ଗେ ପରିସ୍ଥିତି ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବେ।
Comments are closed.