ପୁଣି ଘୁଞ୍ଚିଲା ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ

ନୂଆଦିଲ୍ଲୀ: ଦିଲ୍ଲୀ ପଟିଆଲା ହାଉସ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୧ରେ ଫାଶୀ ପାଇବେନି ୪ ନିର୍ଭୟା ଦୋଷୀ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ହୋଇ ପାରିବ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି। ଆସନ୍ତାକାଲି ଫାଶୀ ଦେବାକୁ ଧାର୍ଯ୍ୟ ହୋଇଥିଲା ଦିନ।
ଫେବୃଆରୀ ୧ ତାରିଖରେ ଫାଶୀ ଲାଗି ଜାରି ହୋଇଥିବା ‘ଡେଥ୍ ୱାରେଣ୍ଟ’କୁ ଖାରଜ କରିଛନ୍ତି ଟ୍ରାଏଲ୍ କୋର୍ଟ। ଫଳରେ ଦୋଷୀ ଅକ୍ଷୟ ସିଂହ ଠାକୁର, ମୁକେଶ ସିଂହ, ବିନୟ କୁମାର ଶର୍ମା ଏବଂ ପବନ କୁମାର ଗୁପ୍ତାଙ୍କ ଫାଶୀ ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ ରହିଛି।
ଫାଶୀ ରୋକିବା ପାଇଁ ୪ ଜଣ ଦୋଷୀ (ଅକ୍ଷୟ ସିଂହ ଠାକୁର, ମୁକେଶ ସିଂହ, ବିନୟ କୁମାର ଶର୍ମା ଏବଂ ପବନ କୁମାର ଗୁପ୍ତା) ଗତକାଲି ପଟିଆଲା ହାଉସ୍ କୋର୍ଟରେ ଆବେଦନ ଦାଖଲ କରିଥିଲେ। ସେମାନଙ୍କ ପାଖରେ ନ୍ୟାୟିକ ବିକଳ୍ପ ସୁଯୋଗ ରହିଥିବାରୁ ଏହା ପୂର୍ବରୁ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ ଦୋଷୀଙ୍କ ଓକିଲ ଏ ପି ସିଂହ ଆବେଦନ କରିଥିଲେ। ଆଜି ପଟିଆଲା ହାଉସ୍ କୋର୍ଟରେ ସେ ଯୁକ୍ତି ବାଢ଼ିଥିଲେ କି ଏହି ଅପରାଧ ମାମଲାରେ ସମସ୍ତ ବିକଳ୍ପ ଶେଷ ହୋଇ ନଥିବାରୁ ଦୋଷୀମାନଙ୍କୁ ସେମାନଙ୍କ ନ୍ୟାୟିକ ପ୍ରକ୍ରିୟା ଶେଷ କରିବା ନିମନ୍ତେ ସୁଯୋଗ ମିଳିବା ଜରୁରୀ।
Comments are closed.