ମୃତଶିଶୁ ଜନ୍ମକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍ରେ ଜଣେ ମହିଳା ମୃତ ଶିଶୁ ଜନ୍ମ କରିବା ଘଟଣା ଯୋଗୁଁ ତୀବ୍ର ଉତ୍ତେଜନା ଦେଖାଦେଇଛି। ବିଭାଗୀୟ ଚିକିତ୍ସକ ଏବଂ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏପରି ଘଟିଥିବା କଥା ପ୍ରସୂତୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରୁଛନ୍ତି।
ବାରିପଦା ସଦର ଥାନା ଅନ୍ତର୍ଗତ ସମାଖୁଣ୍ଟା ବ୍ଲକ୍ର ପାଇକବସା ଗ୍ରାମପଞ୍ଚାୟତ ଅଞ୍ଚଳର ବଜ୍ରତୁଣ୍ଡି ଗାଁର ଚନ୍ଦନ ବେହେରାଙ୍କ ୨୭ ବର୍ଷୀୟ ପତ୍ନୀ ସୁରେଖାଙ୍କର ଗର୍ଭବେଦନା ଅନୁଭୂତ ହେବାରୁ ଗତ ବୁଧବାର ଦିନ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପ୍ରସବ ସ୍ୱାଭାବିକ ହେବ କହି ବିଭାଗୀୟ ଚିକିତ୍ସକ ଓ କର୍ମଚାରୀମାନେ ସୁରେଖାଙ୍କ ସମ୍ପର୍କୀୟମାନଙ୍କୁ ବୁଝାଇ ଦେଇଥିଲେ।
ଦିନ ଗଡ଼ିଚାଲିବା ସହ ସୁରେଖାଙ୍କର ଯନ୍ତ୍ରଣା ଲାଗି ରହିବାରୁ ସିଜରିଆନ୍ ମାଧ୍ୟମରେ ପ୍ରସବ କରାଇବାକୁ ତାଙ୍କର ସମ୍ପର୍କୀୟମାନେ ସମ୍ପୃକ୍ତ ଚିକିତ୍ସକ ଓ କର୍ମଚାରୀଙ୍କୁ କହିଥିଲେ। ସ୍ୱାଭାବିକ ପ୍ରସବ ହେବ କହି ସେମାନେ ତାଙ୍କ ଅନୁରୋଧ ଏଡ଼ାଇ ଦେଇଥିଲେ ବୋଲି ଆଜି ସେଠାରେ ଉପସ୍ଥିତ ସମ୍ପର୍କୀୟମାନେ କହୁଛନ୍ତି। ଏହାଛଡ଼ା ସ୍ୱାଭାବିକ ପ୍ରସବ କରାଇବାକୁ ସମ୍ପୃକ୍ତ ଚିକିତ୍ସକ ଓ କର୍ମଚାରୀମାନେ ଲାଞ୍ଚ ମାଗିଥିବା କଥା ସୁରେଖାଙ୍କ ସମ୍ପର୍କୀୟମାନେ ଅଭିଯୋଗ କରୁଛନ୍ତି। ସ୍ଥାନୀୟ ପୁଲିସ ଉତ୍ତେଜନାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚଳାଇଛି। ସୁରେଖାଙ୍କ ସ୍ୱାମୀ ଚନ୍ଦନ ବେହେରା ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିବାକୁ ବାହାରିଛନ୍ତି।
Comments are closed.