ଆଜି ଉପସ୍ଥାପିତ ହେବ ୨୦-୨୧ ଆର୍ଥିକ ବଜେଟ୍

ନୂଆଦିଲ୍ଲୀ : ଆଜି ଉପସ୍ଥାପିତ ହେବ ସାଧାରଣ ବଜେଟ୍। କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକବର୍ଷ ନିମନ୍ତେ ଉପସ୍ଥାପନ କରିବାକୁ ଯାଉଛନ୍ତି ବଜେଟ୍। ଆଜି ଦିନ ୧୧ଟାରେ ସଂସଦ ଗୃହରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍ ଆଗତ କରିବେ। ମୋଦି ସରକାରଙ୍କ ୨ ପାଳିରେ ନିର୍ମଳା ୨ ଥର ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଚଳିତ କାର୍ଯ୍ୟକାଳରେ ପ୍ରଥମ ଥର ପାଇଁ ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା। ଗତକାଲି ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ସମ୍ପ୍ରତି ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ସରକାର ଚଳିତ ବଜେଟରେ ଚାହିଦାରେ ବୃଦ୍ଧି ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଆଶା କରାଯାଉଛି। ଏହାଛଡା ନିର୍ମଳା ବଜେଟ୍ରେ କେତେକ କ୍ଷେତ୍ରରେ ଟିକସ ହ୍ରାସ ହେବ ବୋଲି ଅନୁମାନ କରାଯାଉଛି। କ୍ରମାଗତ ଭାବେ ତୃତୀୟ ଥର ପାଇଁ ସରକାର ଏଥର ବିତ୍ତୀୟ ନିଅଣ୍ଟ କ୍ଷେତ୍ରରେ ରଖିଥିବା ଧାର୍ଯ୍ୟଲକ୍ଷ୍ୟ ହାସଲ ଉପରେ ଗୁରୁତ୍ବ ଦେବେ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି।
ଆଜିର ବଜେଟରେ କାହାର ଦର ବଢିବ କାହାର ଦର କମିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଚଳିତଥର ଆୟକରରେ ଜନତାଙ୍କୁ ମିଳିପାରେ ବଡ ରିହାତି। ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମୀଣ ବିକାଶ ଓ ପ୍ରତିରକ୍ଷା ବ୍ୟତୀତ ସାମାଜିକ କ୍ଷେତ୍ର ପାଇଁ ସରକାର କେତେ ବ୍ୟୟବରାଦ କରିବେ ତାହା ଉପରେ ନଜର ରହିଛି। ମହିଳା ସଶକ୍ତୀକରଣ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ କିଛି ନୂଆ ଯୋଜନା ଘୋଷଣା କରାଯାଇପାରେ। ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସରକାରଙ୍କ ଦୁଇଟି ପ୍ରମୁଖ ସ୍କିମ୍ ହୋଇଥିବାରୁ ଏହାର ବ୍ୟୟବରାଦକୁ ସରକାର ବଢ଼ାଇପାରନ୍ତି। ମଧ୍ୟବିତ୍ତ ପରିବାର ଲାଗି ନୂଆ ସ୍ବାସ୍ଥ୍ୟ ବୀମା ଯୋଜନା ଘୋଷଣା କରାଯିବାର ସମ୍ଭାବନା ମଧ୍ୟ ରହିଛି।ଦେଶର ଅଭିବୃଦ୍ଧି ହାର ୫% ଭଳି ନିମ୍ନ ସ୍ତରରେ ରହିଛି। ଅର୍ଥନୀତିରେ ମାନ୍ଦାବାସ୍ଥା ଯୋଗୁଁ ଦେଶର ଉଦ୍ୟୋଗ କ୍ଷେତ୍ରରେ ସଂକଟ ସୃଷ୍ଟି ହୋଇଛି। ଏଥିସହ ୨୦୨୦-୨୧ ବଜେଟ୍ରେ ରାଜସ୍ବ ବୃଦ୍ଧି ପାଇଁ କିଛି ପଦକ୍ଷେପ ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଉଛି।
Comments are closed.