କରୋନା ଭାଇରସ୍: କେନ୍ଦ୍ର ସରକାରଙ୍କ ଜରୁରୀ ବୈଠକ, ଜାରି କଲେ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ଚାଇନାରେ ହୁ ହୁ ହୋଇ ବଢ଼ୁଛି କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା। ଏହାର ପ୍ରଭାବ ଭାରତରେ ମଧ୍ୟ ଆଶଙ୍କା ସୃଷ୍ଟି କରିଛି। ଏହାରି ମଧ୍ୟରେ କେରଳରେ ୩ ଜଣ କରୋନା ଭାଇରସରେ ଆକ୍ରାନ୍ତ ହେବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ଭୟଙ୍କର ସ୍ଥିତିର ମୁକାବିଲା କରିବା ପାଇଁ ଆଜି କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା।
ଏହି ବୈଠକରେ କରୋନା ଭାଇରସର ମୁକାବିଲା ପାଇଁ ଭାରତ ସରକାର କେମିତି ପ୍ରସ୍ତୁତ ରହିଛନ୍ତି, ତା’ର ସମୀକ୍ଷା କରାଯାଇଛି। ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ, ସ୍ୱାସ୍ଥ୍ୟ ରିସର୍ଚ୍ଚ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବୈଠକରେ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କରୋନା ଭାଇରସ ପାଇଁ ନୂଆ ସତର୍କ ସୂଚନା ଜାରି କରାଯାଇଛି।
ବିଶେଷ କରି ଚାଇନା ଯାଉଥିବା କିମ୍ବା ଆସୁଥିବା ଲୋକଙ୍କ ଯାତାୟାତ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଭାରତୀୟମାନେ ଚାଇନା ଗସ୍ତ କରନ୍ତୁ ନାହିଁ। ସେହିପରି ଚାଇନାରୁ ଫେରୁଥିବା ଲୋକମାନେ ହସ୍ପିଟାଲରେ ଗଠନ ହୋଇଥିବା ସ୍ୱତନ୍ତ୍ର ୱାର୍ଡରେ ନିଜକୁ ଭର୍ତ୍ତି କରନ୍ତୁ। ସେହିପରି ଜାନୁଆରୀ ୧୫ ପରେ ଚାଇନାରୁ ଭାରତକୁ ଆସିଥିବା ଲୋକମାନେ ତୁରନ୍ତ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ।
Comments are closed.