ଅଲୋଡ଼ା ରେକର୍ଡର ଅଧିକାରୀ ହେଲେ ଶିଭମ ଦୁବେ
ମାଉଣ୍ଟ ମାଉଙ୍ଗାନୁଇ: ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଟି-୨୦ ସିରିଜ ନିଜ ନାମରେ ଅକ୍ତିଆର କରିଛି। ଏହି ୫ମ୍ୟାଚ୍ ବିଶିଷ୍ଟ ସିରିଜକୁ ୫-୦ରେ ପୋଛି ନେଇଛି ଟିମ୍ ଇଣ୍ଡିଆ। ଅନ୍ୟପଟେ ଏହି ମ୍ୟାଚରେ ବିରଳ ରେକର୍ଡ କରିଛନ୍ତି ଟିମ୍ ଇଣ୍ଡିଆର ଯୁବ ଅଲରାଉଣ୍ଡର ଶିବମ୍ ଦୁବେ। ଦୁବେ ଗତକାଲିର ମ୍ୟାଚରେ ଏକ ଓଭରରେ ୩୪ ରନ୍ ଦେଇଛନ୍ତି। ଦୁବେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଗୋଟିଏ ଓଭରରେ ସର୍ବାଧିକ ରନ୍ ଦେବାରେ ଭାରତୀୟ ବୋଲର ହୋଇଛନ୍ତି।
ରସ୍ ଟେଲର ଓ ଟିମ୍ ସିଫର୍ଟ ଇନିଂସର ୧୦ମ ଓଭରରେ ଏହି ଯୁବ ବୋଲରଙ୍କୁ ନିର୍ଧୁମ୍ ଧୂଲେଇ କରିଥିଲେ। ସିଫର୍ଟ ଓଭରର ଶୁଭାରମ୍ଭ ଲଗାତର ଦୁଇଟି ଛକା ସହ ଆରମ୍ଭ କରିଥିଲେ ଏବଂ ତୃତୀୟ ବଲରେ ଚୌକା ମାରିଥିଲେ। ଏହା ପରେ ସେ ୧ ରନ୍ ନେଇ ଟେଲରଙ୍କୁ ଷ୍ଟ୍ରାଇକ୍ ଦେଇଥିଲେ। ଟେଲର୍ ଏହା ପରେ ଦୁବେଙ୍କୁ ଆକ୍ରମଣ କରିଥିଲେ। ଟେଲର ପ୍ରଥମେ ନୋ’ ବଲରେ ଚୌକା ମାରିଥିଲେ।
ଏହା ପରେ ପଞ୍ଚ ଓ ଷଷ୍ଠ ବଲରେ ଲଗାତାର ଛକା ମାରିଥିଲେ। ଫଳରେ ଦୁବେଙ୍କ ଏହି ଓଭରରେ ୩୪ ରନ୍ ହୋଇଥିଲା ଏବଂ ତାଙ୍କ ନାଁରେ ଅଲୋଡା ରେକର୍ଡ ଯୋଡ଼ି ହୋଇଛି। ସେ ଟି-୨୦ରେ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ସବୁଠାରୁ ମହଙ୍ଗା ବୋଲର ହୋଇଛନ୍ତି। ଶିଭମଙ୍କ ପୂର୍ବରୁ ୨୦୧୬ରେ ଷ୍ଟୁଆର୍ଟ ବିନ୍ନି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗୋଟିଏ ଓଭରରେ ୩୨ ରନ୍ ଦେଇଥିଲେ। ସେହିପରି ୨୦୧୨ରେ ଜୋହାନସବର୍ଗରେ ସୁରେଶ ରାଇନା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୬ ରନ୍ ବ୍ୟୟ କରିଥିଲେ।
Comments are closed.