ମଧ୍ୟାହ୍ନଭୋଜନ ହଣ୍ଡାରେ ପଡ଼ି ଛାତ୍ରୀ ମୃତ
ମିର୍ଜାପୁର : ମଧ୍ୟାହ୍ନଭୋଜନ ହଣ୍ଡାରେ ପଡ଼ି ତିନି ବର୍ଷର ଛାତ୍ରୀ ମୃତ। ସ୍କୁଲରେ ମଧ୍ୟାହ୍ନଭୋଜନ ପାଇଁ ଖାଦ୍ୟ ପ୍ରସ୍ତୁତି ଚାଲିଥିବା ବେଳେ ହଣ୍ଡାରେ ପଡି ଏହି ୩ବର୍ଷୀୟ ଛାତ୍ରୀ ଅଞ୍ଜଳିଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲା ରାମପୁର ପ୍ରାଥମିକ ବିଦ୍ୟାଳୟର ଅଙ୍ଗନୱାଡ଼ି କେନ୍ଦ୍ରରେ ଘଟିଛି। ସୂଚନା ଅନୁସାରେ, ଗତକାଲି ଛାତ୍ରୀ ଅଞ୍ଜଳି ନିଜ ଭାଇ ସହ ବିଦ୍ୟାଳୟକୁ ଯାଇଥିଲା। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ମଧ୍ୟାହ୍ନଭୋଜନ ପରସିବା ପାଇଁ ଖାଦ୍ୟ ହଣ୍ଡାକୁ ବାହାରକୁ ଅଣାଯାଇଥିଲା। ରୋଷେୟା ଖାଦ୍ୟକୁ ବାହାରେ ରଖି ରୋଷଶାଳ ଭିତରକୁ ଯାଇଥିଲେ। ଏହି ସମୟରେ କିଛି ପିଲାଙ୍କ ମଧ୍ୟରେ ଠେଲାପେଲା ହେବାରୁ ଛାତ୍ରୀ ଅଞ୍ଜଳି ଗରମ ଖାଦ୍ୟ ହଣ୍ଡାରେ ପଡ଼ିଯାଇଥିଲା। ହଣ୍ଡାରେ ଖସିଯିବା ପରେ ବିଦ୍ୟାଳୟରେ ପଢ଼ୁଥିବା ତା ଭାଇ ଗଣେଶ ଜୋରରେ ଚିତ୍କାର କରିଥିଲା। ଏହି ଘଟଣା ପରେ ସେଠାରେ ଥିବା ରୋଷେୟା ଭୟରେ ଦୌଡ଼ି ପଳାଇଥିଲେ। ବିଦ୍ୟାଳୟର ଶିକ୍ଷକ-ଶକ୍ଷୟିତ୍ରୀ ସେଠାକୁ ଧାଇଁ ଆସି ଅଞ୍ଜଳିକୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ ଅଞ୍ଜଳିକୁ ମୃତ ଘୋଷଣା କରିଥିଲେ। ଅଞ୍ଜଳି ଶରୀରର ୮୦% ସିଝି ଯାଇଥିଲା।
ଏନେଇ ଖବର ପାଇ ଜିଲ୍ଲାପାଳ ସୁଶୀଲ କୁମାର ପଟେଲ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରିଛନ୍ତି।ଏଥିସହ ରୋଷେୟାଙ୍କ ବିରୋଧରେ ବି ମାମଲା ରୁଜୁ କରାଯାଇଛି। ଝିଅଟିର ମୃତ୍ୟୁ ପାଇଁ ପିତା ଭାଗିରଥ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ।
Comments are closed.