ନୟାଗଡ଼ ଜିଲ୍ଲାରେ ଶିଶୁମୃତ୍ୟୁ ହାର ଉଦ୍ବେଗଜନକ
ନୟାଗଡ଼: ଏବେବି ନୟାଗଡ଼ ଜିଲ୍ଲାରେ ଶିଶୁ ମୃତ୍ୟୁରେ ରୋକ୍ ଲାଗିପାରିନାହିଁ। ସରକାରଙ୍କ ବ୍ୟାପକ ଯୋଜନା ଶିଶୁ ମୃତ୍ୟୁକୁ ରୋକିବା ଦିଗରେ ବିଶେଷ ଫଳପ୍ରଦ ହୋଇପାରିନି। ବିଗତ ପାଞ୍ଚବର୍ଷ ତଳେ ଘଟୁଥିବା ନବଜାତକ ଶିଶୁ ମୃତ୍ୟୁଠାରୁ ଆରମ୍ଭ କରି ଜନ୍ମରୁ ପାଞ୍ଚ ବର୍ଷ ବୟସ ମଧ୍ୟରେ ଶିଶୁ ମୃତ୍ୟୁହାର ତୁଳନାରେ ବର୍ତ୍ତମାନ କମ୍ ମୃତ୍ୟୁ ଘଟୁଥିଲେ ମଧ୍ୟ ଏହା ଉତ୍ସାହଜନକ ନୁହେଁ। ଗତ ୫ ବର୍ଷ ମଧ୍ୟରେ ୧୨ଶହରୁ ଅଧିକ ଶିଶୁଙ୍କର ମୃତ୍ୟୁ ହୋଇଥିବା ପରିସଂଖ୍ୟାନରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ୨୦୧୫-୧୬ ବର୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷର ଡିସେମ୍ବର ମାସ ସୁଦ୍ଧା ଜିଲ୍ଲାରେ ୧୨୩୮ ଶିଶୁଙ୍କର ପ୍ରାଣ ଯାଇଛି। ରଣପୁର, ଓଡ଼ଗାଁ, ନୂଆଗାଁ ବ୍ଲକ୍ରେ ସର୍ବାଧିକ ନବଜାତକଙ୍କ ମୃତ୍ୟୁ ଘଟିଛି । ସରକାରୀ ଭାବେ ଶିଶୁ ମୃତ୍ୟୁ ହ୍ରାସର ପରିସଂଖ୍ୟାନ ଓ ବାସ୍ତବ ଚିତ୍ର ମଧ୍ୟରେ ଆକାଶ ପାତାଳ ଫରକ ରହିଛି। ବିଗତ ପାଞ୍ଚ ବର୍ଷରେ ରଣପୁର ବ୍ଲକ୍ରେ ସର୍ବାଧିକ ଶିଶୁଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ନବଜାତକଙ୍କଠାରୁ ଆରମ୍ଭ କରି ୧ରୁ ୫ ବର୍ଷ ମଧ୍ୟରେ ଶିଶୁ ରହିଛନ୍ତି। ୨୦୯ ଜଣ ଶିଶୁ ରଣପୁରରେ ପ୍ରାଣ ହରାଇଛନ୍ତି। ଓଡ଼ଗାଁରେ ୨୦୦ ଓ ନୂଆଗାଁରେ ୧୭୪ ଶିଶୁଙ୍କ ମୃତ୍ୟୁ ଘଟିଛି। ରଣପୁର ବ୍ଲକ୍ରେ ୨୦୧୫-୧୬ରେ ୭୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ, ୨୦୧୬-୧୭ରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୭-୧୮ରେ ୨୯ ଓ ୨୦୨୮-୧୯ରେ ଏହା ବଢ଼ି ୪୧ରେ ପହଞ୍ଚିଥିବା ବେଳେ ୨୦୧୯ ଡିସେମ୍ବର ସୁଦ୍ଧା ଏଠାରେ ୩୦ ଶିଶୁଙ୍କ ମୃତ୍ୟୁ ଘଟିଛି।
Comments are closed.