Odisha Link
Bridging the Missing Links in Odisha

ହସ୍ତତନ୍ତ ମେଳା ; ମନମୋହିଲା ‘ବୟନିକାର ଫ୍ୟାଶନ ଶୋ’

ଭୁବନେଶ୍ବର : ଆଜି ଜାତୀୟସ୍ତରୀୟ ହସ୍ତତନ୍ତ ମେଳା,୨୦୨୦, ଭୁବନେଶ୍ୱର ରେ ‘ଫୋଡ଼ାକୁମ୍ଭ ଶାଢୀ ଦିବସ’ ରୂପେ ପାଳନ କରାଗଲା । ଫୋଡାକୁମ୍ଭ ଡିଜାଇନ୍ ରେ କଟନ୍‌, ପାଟ ତଥା କଟନ୍ ଓ ପାଟ ମିଶ୍ରଣରେ ପ୍ରସ୍ତୁତ ବସ୍ତ୍ର ବରଗଡ଼ ଜିଲ୍ଲାର ବରପାଲି ତଥା ରେମୁଣ୍ଡା ଗ୍ରାମର ବୁଣାକାରମାନେ ନିଖୁଣ ଭାବରେ କରିଥାନ୍ତି ।

ବରଗଡ଼ର ବରପାଲି ଅଂଚଳରେ ଟସର ଶାଢୀ ଓ ସ୍କାରଫ୍‌ର୍ ଫୋଡାକୁମ୍ଭ ଡିଜାଇନରେ ଶାଢୀ ବା ସ୍କାଭର୍ସର ଧଡ଼ିକୁ ଦେହର ରଙ୍ଗ ଅପେକ୍ଷା ଗାଢ ମେରୁନ୍‌/ କଫି/ ନାଲି ଭଳି ରଙ୍ଗରେ ତିଆରି କରନ୍ତି ଯାହା ଦ୍ୱାରା ବସ୍ତ୍ରର ଧଡି ଅତି ସୁନ୍ଦର ଓ ମନୋରମ ଦେଖାଯାଇଥାଏ ।

ସେହିପରି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପାଟ ଶାଢୀ ଓ ଯୋଡ଼ରେ ଫୋଡାକୁମ୍ଭ ଧଡି ବୟନ କରାଯାଇଥାଏ । ଫୋଡାକୁମ୍ଭ ଡିଜାଇନ ଶାଢୀରେ ଦେହ ରଙ୍ଗ ଅପେକ୍ଷା ଧଡି ରଙ୍ଗ ଗାଢ ଓ ପରିଷ୍କାର ଦେଖାଯାଏ । ତେଣୁ ଏହାକୁ ସଲିଡ୍ ଧଡିଯୁକ୍ତ ଶାଢୀ କହିଥାନ୍ତି । ଓଡ଼ିଶାର ଇକତ୍ ବସ୍ତ୍ର, ଟସର ବସ୍ତ୍ର, ବମକାଇ ଶାଢୀ, କୋଟପାଡ ବସ୍ତ୍ରରେ ଫୋଡାକୁମ୍ଭ ଧଡିର ଚାହିଦା ଗ୍ରାହକମାନଙ୍କ ମଧ୍ୟରେ ବହୁତ ଅଧିକ ଅଟେ ।

ତନ୍ମଧ୍ୟରୁ ଫୋଡାକୁମ୍ଭ ଡିଜଇନ୍‌ ରେ ପ୍ରସ୍ତୁତ ଶାଢୀ, ବେଡ୍‌ସିଟ୍ ତଥା ସ୍କାରଫ୍‌ର୍ର ବିଶେଷ ଚାହିଦା ରହିଆସିଅଛି । ଫୋଡାକୁମ୍ଭ ଧଡି ଡିଜାଇନ୍ ରେ ପ୍ରସ୍ତୁତ ଶାଢୀ ବେଡସିଟ୍ ଓ ୱାଲ୍ ହ୍ୟାଙ୍ଗିଙ୍ଗ୍ ଧଡି ସଲିଡ୍ ରଙ୍ଗଯୁକ୍ତ ହେବାଦ୍ୱାରା ଏହି ବସ୍ତ୍ରର ସୁନ୍ଦରତା ବହୁମାତ୍ରାରେ ବୃଦ୍ଧି ହୋଇ ଗ୍ରାହକ ମାନଙ୍କୁ ଆକୃଷ୍ଟ କରିଥାଏ ।

ଗତ କାଲି ସଂଧ୍ୟାରେ ବୟନିକା ତରଫରୁ ଏକ ‘ଫ୍ୟାଶନ୍ ଶୋ’ ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ଅସିତ୍ କୁମାର ତ୍ରିପାଠୀ, ଭା.ପ୍ର.ସେ, ମୁଖ୍ୟ ଶାସନ ସଚିବ, ଓଡ଼ିଶା ମହୋଦୟ । ଏହାପରେ ବରଗଡ଼ ଜିଲ୍ଲାର ସମ୍ବଲପୁରୀ ବସ୍ତ୍ର ବୟନ କାର୍ଯ୍ୟରେ ଲିପ୍ତ ଦୁଇଜଣ ବୁଣାକାର ବିଦ୍ୟାଧର ମେହେର ଓ ମକରଧ୍ୱଜ ମେହେର ଙ୍କୁ ବୟନିକାର ସଭାପତି ଶେଷ କୁମାର ମେହେର ଓ ପରିଚାଳନା ନିର୍ଦ୍ଦେଶକ, ଜ୍ୟୋତି ପ୍ରକାଶ ଦାସ, ଓ.ପ୍ର.ସେ (ଏସ୍‌. ଏ.ଜି) ବୟନ ସ୧ାନରେ ସ୧ାନିତ କରିଥିଲେ ।

ବୟନିକାର ଏହି ଫ୍ୟାଶନ୍ ଶୋ କୁ କଲିକତାର ପ୍ରତିଷ୍ଠିତ ସଂସ୍ଥା ‘ଆତିସ୍‌ ଇନଷ୍ଟିଚୁଟ୍ ଅଫ୍ ମିଡିଆ, କୋଲକାତା’ ଆୟୋଜନ କରିଥିଲେ । ଏଥିରେ ମୁମ୍ବାଇ ଓ କୋଲକାତାରୁ ନାମୀଦାମୀ ମଡ଼େଲ ମାନେ ଭାଗ ନେଇଥିଲେ । ବଛାବଛା ଡିଜାଇନ୍ ର ଶାଢୀ ଓ ରେଡିମେଡ୍ ପୋଷାକକୁ ମଡେଲ୍ ମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା ।

ଫ୍ୟାଶନ୍ ଶୋ ରେ ଦର୍ଶକ ମାନଙ୍କ ମନୋରଞ୍ଜନ ନିମନ୍ତେ ଓଲିଉଡ୍‌ ର ପ୍ରଖ୍ୟାତ କଣ୍ଠଶିଳ୍ପି ଅନ୍ତରା ଚକ୍ରବର୍ତୀ ଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା । କିଣାବିକା ସାଙ୍ଗକୁ ଫ୍ୟାଶନ୍ ଶୋ ଦର୍ଶକଙ୍କୁ ବିଭୋର କରିଥିଲା । ଗତକାଲି ଗ୍ରାହକ/ ଦର୍ଶକଙ୍କ ଅସମ୍ଭାଳ ଭିଡ଼ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ପଡ଼ିଆରେ ଦେଖିବାକୁ ମିଳିଥିଲା ।

ଆଜି ସଂଧ୍ୟାରେ ଏହି ମଂଚରେ ଆଶାବାରି ସାଂସ୍କୃତିକ ସମାଜ ଦ୍ୱାରା ଓଡ଼ିଶି ସଂଗୀତ ଓ ଶ୍ରଦ୍ଧାଞ୍ଜଳି ଏବଂ ସହଯୋଗୀ ମାନଙ୍କଦ୍ୱାରା ଓଡ଼ିଶି ନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଅଛି । ଆଗାମୀ କାଲି ଅର୍ଥାତ୍ ତା.୧୧.୦୨.୨୦୨୦ରିଖ ରେ ଏହି ମଂଚରେ ବିମଳ ନାଟ୍ୟ ସଂସଦ ଦ୍ୱାରା ‘ମୋଗଲ ତାମସା’ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଅଛି ।

Comments are closed.