ଆପ୍ ବିଧାୟକଙ୍କୁ ଗୁଳିମାଡ, କର୍ମୀଙ୍କୁ ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଆମ୍ ଆଦ୍ବୀ ପାର୍ଟି ବିଧାୟକ ମହରୌଲିର ନରେଶ ଯାଦବଙ୍କୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ କରିଛନ୍ତି ଏବଂ ତାଙ୍କ ସାଥୀରେ ଥିବା ଜଣେ କର୍ମୀଙ୍କୁ ହତ୍ୟା କରାଯାଇଛି। ନବନିର୍ବାଚିତ ବିଧାୟକ ନରେଶ ଯାଦବ ସୁରକ୍ଷିତ ଅଛନ୍ତି। ଏହି ଘଟଣା ଅରୁଣା ଆସଫ ଅଲି ରୋଡ୍ରେ ଘଟିଛି। ପୁଲିସ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନା ମୁତାବକ, ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ନରେଶ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ ସାରି ଫେରୁଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ଗାଡ଼ି ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ନରେଶ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ଘଟଣା ସ୍ଥଳରେ ନରେଶଙ୍କ ସହ ଥିବା ଅଶୋକ ମାନ୍ ନାମକ ଜଣେ ସହଯୋଗୀଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ କର୍ମୀ ଆହତ ଅଛନ୍ତି। ଆକ୍ରମଣ ପରେ ନରେଶ କହିଛନ୍ତି ଯେ, ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ମୋ ଉପରେ ହୋଇଥିବା ଆକ୍ରମଣର କାରଣ ମୁ ଜାଣି ନାହିଁ। ଅଚାନକ ୪ ରାଉଣ୍ଡ ଗୁଳି ମାଡ଼ ହୋଇଥିଲା।
ସୂଚନାଯୋଗ୍ୟ, ମହରୌଲି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ନରେଶ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର କୁସୁମ ଖତ୍ରୀଙ୍କୁ ୧୮ ହଜାର ୧୬୧ ଭୋଟରେ ପରାଜିତ କରିଛନ୍ତି। ଦିଲ୍ଲୀରେ ୭୦ ବିଧାନସଭା ଆସନରୁ ଆପ୍ ୬୨ ଆସନରେ ବିଜୟ ହାସଲ କରିଥିବାବେଳେ ବିଜେପି ୮ଟି ଆସନ ପାଇଛି।
Comments are closed.