Odisha Link
Bridging the Missing Links in Odisha

ପୁଣି ପୁଲ୍‌ଓ୍ଵାମା ଭଳି ଆକ୍ରମଣ କରିପାରେ ‘ଗଜନବି ଫୋର୍ସ’: ଗୁଇନ୍ଦା ରିପୋର୍ଟ

ଶ୍ରୀନଗର: ପୁଣି ପୁଲ୍‌ଓ୍ଵାମା ଭଳି ଆକ୍ରମଣ କରିପାରେ ‘ଜୈଶ୍‌-ଏ-ମହମ୍ମଦ’ର ‘ଗଜନବି ଫୋର୍ସ’। ‘ଜୈଶ୍‌-ଏ-ମହମ୍ମଦ’ ଆତଙ୍କବାଦୀ ସଂଗଠନ ‘ଗଜନବି ଫୋର୍ସ’ ନାମରେ ଏକ ନୂଆ ଦଳ ଗଠନ କରିଛି ଯାହାର ନଜର ସେନା ସୁରକ୍ଷା ବଳଙ୍କ ଉପରେ ରହିଛି। ଏହି ‘ଗଜନବି ଫୋର୍ସ’କୁ ଆତଙ୍କବାଦୀ ଆକ୍ରମଣ ପାଇଁ ଉତ୍ତମ ତାଲିମ ଦିଆଯାଇଛି ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି।

ଗୁଇନ୍ଦା ବିଭାଗର ସୂଚନା ମୁତାବକ, ପୁଲ୍‌ଓ୍ଵାମା ଭଳି ଭୟାବହ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ଏଜେନ୍‌ସି ‘ଆଇଏସ୍‌ଆଇ’ ବ୍ୟାପକ ବ୍ୟବସ୍ଥା କରିଛି। ଜୈଶ୍‌ର ନବ ଗଠିତ ‘ଗଜନବି ଫୋର୍ସ’ରେ ‘ଲଶ୍କର୍‌-ଏ-ତୈବା’, ‘ହିଜ୍‌ବୁଲ୍‌ ମୁଜାହିଦୀନ’, ‘ଔଘ୍‌’ ଏବଂ ‘ଅଲ୍‌ ବଦର’ ଭଳି ନିଷିଦ୍ଧ ଆତଙ୍କବାଦୀ ସଂଗଠନର ସଦସ୍ୟମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହିସବୁ ସଂଗଠନର ଆତଙ୍କବାଦୀମାନେ ସୀମାନ୍ତ ଅଞ୍ଚଳରେ ଆଇଇଡି ବିସ୍ଫୋରଣ କରି ସେନା ସୁରକ୍ଷା ବଳ ଏବଂ ସେମାନଙ୍କ ଯାନବାହନ ଉପରେ ଆକ୍ରମଣ କରିବେ ବୋଲି ଗୁଇନ୍ଦା ଏଜେନ୍‌ସି ସତର୍କ କରାଇ ଦେଇଛି। ଗୁଇନ୍ଦା ସୂଚନା ମିଳିବା ପରେ କଶ୍ମୀର ଉପତ୍ୟକାରେ ମୁତୟନ ହୋଇଥିବା ସୁରକ୍ଷା ବଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି।

Comments are closed.