ପୋଖରୀକୁ ଫୁଲ ତୋଳିବାକୁ ଯାଇ ସଲିଳ ସମାଧି

ବିନିକା: ଆଜି ସକାଳେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ପୋଖରୀକୁ ପଦ୍ମଫୁଲ ତୋଳିବାକୁ ଯାଇ ପାଣିରେ ବୁଡ଼ି ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ ଯେ, ଆଜି ସକାଳ ୬ଟା ବେଳେ ବିନିକା ଥାନା ଅନ୍ତର୍ଗତ ଚରଦା ଗ୍ରାମର ୧୮ ବର୍ଷୀୟା ଯୁବତୀ ପ୍ରିୟଙ୍କା ଥାନପତି ତାଙ୍କ ଘରଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ରାଣୀପଦା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେହି ପୋଖରୀରେ ଗାଁର ଅଧିକାଂଶ ଲୋକ ସ୍ନାନ କରିଥାନ୍ତି। ସେହି ପୋଖରୀରେ ସ୍ନାନ କରିବା ପରେ ପ୍ରିୟଙ୍କା ପଦ୍ମ ଫୁଲ ତୋଳିବାକୁ ପାଣି ଭିତରକୁ ପଶିଥିଲେ। ହେଲେ ସେଠାରୁ ଆଉ ଫେରି ନ ଥିଲେ।
ଏହା ଜାଣିପାରି ଗାଁର ଯେଉଁମାନେ ସେହି ପୋଖରୀରେ ସ୍ନାନ କରୁଥିଲେ, ସେମାନେ ବହୁତ ଖୋଜାଖୋଜି କରିଥିଲେ, ହେଲେ ପ୍ରିୟଙ୍କାଙ୍କୁ ଠାବ କରିବାରେ ସକ୍ଷମ ହୋଇ ନ ଥିଲେ। ଏହାପରେ ଗ୍ରାମବାସୀମାନେ ବାଧ୍ୟ ହୋଇ ବିନିକାରେ ଥିବା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆସି ପାଣି ଭିତରୁ ପ୍ରିୟଙ୍କାଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ପ୍ରିୟଙ୍କାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ମୃତ ପ୍ରିୟଙ୍କା ଚରଦା ଗ୍ରାମର ଗୋପୀ ଥାନପତିଙ୍କର ଝିଅ ବୋଲି ଜଣାଯାଇଛି। ଗ୍ରାମବାସୀମାନେ ସବୁ ଦିନ ଏହି ପୋଖରୀକୁ ଗାଧୋଇବାକୁ ଯାଇଥାନ୍ତି, ହେଲେ ଏଭଳି ଅଘଟଣ କେବେ ବି ଘଟି ନ ଥିବା କୁହାଯାଉଛି। ଏବେ ସେହି ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।
Comments are closed.