ନିର୍ଭୟା ମାମଲା: ଦୋଷୀଙ୍କୁ ପୃଥକ ଫାଶୀ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ପୃଥକ ଫାଶୀ ଦେବା ପାଇଁ କେନ୍ଦ୍ରର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଜଷ୍ଟିସ୍ ଆର ଭାନୁମତୀ, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ନବୀନ ସିହ୍ନାଙ୍କ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରିବେ। ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନ ଖାରଜ ହେବା ପରେ କେନ୍ଦ୍ର ସରକାର ଦୋଷୀଙ୍କୁ ପୃଥକ ଫାଶୀ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।
ଫେବୃଆରୀ ୫ ତାରିଖରେ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ, ନିର୍ଭୟା ଗଣଦୁଷ୍କର୍ମ ମାମଲାର ସମସ୍ତ ଦୋଷୀଙ୍କୁ ଏକକାଳରନ ଫାଶୀ ଦେବା ପାଇଁ ଡେଥ୍ ଓ୍ବାରେଣ୍ଟ ଜାରି କରାଯିବା ଉଚିତ୍। ହାଇକୋର୍ଟ ଆହୁରି କହିଥିଲେ ଯେ, ଦିଲ୍ଲୀ କାରାଗାର ନିୟମରେ ଏହା ଉଲ୍ଲେଖ ନାହିଁ ଯେ, ଯଦି ଜଣେ ଦୋଷୀଙ୍କ କ୍ଷମା ଆବେଦନର ପ୍ରକ୍ରିୟା ଶେଷ ହୋଇନଥାଏ ତେବେ ଅନ୍ୟ ଦୋଷୀମାନଙ୍କୁ ଫାଶୀ ଦେଇ ଦିଆଯିବ ଅଥବା ଦିଆଯିବ ନାହିଁ ।
ନିର୍ଭୟା ମାମଲାରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଦ୍ବାରା ଜାରି କରାଯାଇଥିବା ଡେଥ୍ ଓ୍ବାରେଣ୍ଟ ଅନୁଯାୟୀ ଆଗାମୀ ମାର୍ଚ୍ଚ ମାସ ୩ ତାରିଖ ସକାଳ ୬ଟାରେ ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ। ତିହାର ଜେଲ୍ ପ୍ରଶାସନ ଫାଶୀର ଦିନକ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୨ ତାରିଖରେ ଫାଶୀର ଫାଇନାଲ୍ ଟ୍ରାଏଲ ନେବାପାଇଁ ନିର୍ଣ୍ଣୟ ନେଇଛି। ମାର୍ଚ୍ଚ ୧ତାରିଖ ସନ୍ଧ୍ୟାରେ ଉତ୍ତରପ୍ରଦେଶରୁ ଜଲ୍ଲାଦ ଆସିବେ ଏବଂ ମାର୍ଚ୍ଚ ୨ ତାରିଖରେ ଫାଶୀର ଟ୍ରାଏଲ କରାଯିବ। ମଙ୍ଗଳବାର ଦିନ ପୁଣି ତିହାର ଜେଲ୍ ଅଧିକାରୀ ଫାଶୀଗୃହର ନୀରିକ୍ଷଣ କରିବେ।
Comments are closed.