ଟ୍ରମ୍ପ୍-ମୋଦି ଶିଖର ସମ୍ମିଳନୀ
![](https://www.odishalink.com/wp-content/uploads/2020/02/modi-trump.jpg)
ନୂଆଦିଲ୍ଲୀ: ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଭାରତରେ ଆଜି ୨ୟ ଦିନ। ଏହି ଅବସରରେ ଦିଲ୍ଲୀ ହାଇଦ୍ରାବାଦ ହାଉସ୍ରେ ଟ୍ରମ୍ପ୍-ମୋଦିଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା କରୁଛନ୍ତି। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତପୂର୍ଣ୍ଣ ଚୁକ୍ତି ନେଇ ଆଲୋଚନା ଚାଲିଛି। ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ସଂପର୍କ ଆହୁରି ମଜଭୁତ କରିବା ଲାଗି ମୋଦି ଏବଂ ଟ୍ରମ୍ପ ଅନେକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାଯାଇଛି। ଏହା ପରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ ଏବଂ ଟ୍ରମ୍ପ ସି.ଇ.ଓ. ରାଉଣ୍ଡ ଟେବୁଲ ପାଇଁ ଆମେରିକା ଦୂତାବାସ ଯିବେ।
୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ୟ ଦିନରେ ଆଜି ପ୍ରଥମେ ରାଷ୍ଟ୍ରପତି ଭବନ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ତାଙ୍କ ପତ୍ନୀ ଓ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ସ୍ବାଗତ କରିଥିଲେ। ପରେ ଟ୍ରମ୍ପଙ୍କୁ ଆନୁଷ୍ଠାନିକ ଭାବେ ଗାର୍ଡ ଅଫ୍ ଅନର୍ର ପ୍ରଦାନ କରାଯାଇ ତାଙ୍କର ସ୍ୱାଗତ କରାଯାଇଥିଲ। ଏହାପରେ ସେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ସେଠାରେ ତାଙ୍କୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଏକ ପ୍ରତିମୂର୍ତ୍ତି ପ୍ରଦାନ କରାଯାଇଛି। ଏଥିସହ ରାଜଘାଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ମେଲାନିଆ ଟ୍ରମ୍ପ୍ ବୃକ୍ଷ ରୋପଣ ମଧ୍ୟ କରିଛନ୍ତି। ଅନ୍ୟପଟେ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ୍ ଦିଲ୍ଲୀର ସର୍ବୋଦୟ ସେକେଣ୍ଡାରୀ ସ୍କୁଲ୍ ପରିଦର୍ଶନରେ ଯାଇ ‘ହାପିନେସ୍ କ୍ଲାସ୍’ରେ ସ୍କୁଲ୍ ପିଲାଙ୍କ ସହ ସମୟ କାଟୁଛନ୍ତି।
Comments are closed.