ଦିଲ୍ଲୀ ହିଂସା: ପୁଲିସକୁ ହାଇକୋର୍ଟଙ୍କ ଭର୍ତ୍ସନା
ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଉଗ୍ର ରୂପ ନେଉଛି। ଏହି ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୨କୁ ପହଞ୍ଚିଛି। ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ ନେଇ ଏହି ହିଂସାକାଣ୍ଡକୁ ଭର୍ତ୍ସନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏଥିସହ ବିଜେପି ନେତା କପିଲ ମିଶ୍ରାଙ୍କ ଭିଡିଓ ଦେଖାଇ ଭର୍ତ୍ସନା କରିଛନ୍ତି କୋର୍ଟ। ଏଥିସହ ଦିଲ୍ଲୀ ପୁଲିସର ଆଚରଣକୁ ତୀବ୍ର ସମାଲୋଚନା କରିବା ସହ ୧୯୮୪ର ପୁନରାବୃତ୍ତି ହେବାକୁ ଦିଆଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।
ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ମୁରଲୀଧର ଉଦ୍ବେଗ ପ୍ରକାଶ କରି କହିଛନ୍ତି, ଦିଲ୍ଲୀରେ ଆଉ ଏକ ୧୯୮୪ର ପୁନରାବୃତ୍ତି ହେବାକୁ ଦିଆଯିବ ନାହିଁ। ଦିଲ୍ଲୀ ପୁଲିସର କାର୍ଯ୍ୟକଳାପ ଆମକୁ ଚକିତ କରିଛି। ଦିଲ୍ଲୀର ପରିସ୍ଥିତି ବହୁତ ଖରାପ ଅଛି। ଆମେ ସମସ୍ତେ ସେହି ଭିଡିଓ ଦେଖିଛୁ, ଯେଉଁଥିରେ ଅନେକ ନେତା ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଉଛନ୍ତି। ଏସବୁ ଭିଡିଓ ସମସ୍ତ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ହେଉଛି। ଏହା ପରେ କୋର୍ଟ ସମସ୍ତ ଓକିଲ, ଡିସିପି ଏବଂ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କ ଉପସ୍ଥିତିରେ ବିଜେପି ନେତା କପିଲ ମିଶ୍ରାଙ୍କ ଉକ୍ତ ଭିଡିଓ ଚାଲୁ କରିଥିଲେ। ଏହା ପରେ ଜଷ୍ଟିସ ମୁରଲୀଧର କହିଲେ ଯେ, ପୁଲିସର ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ଏହା ସହିତ କୋର୍ଟ ବିଜେପି ନେତାମାନଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ସଲିସିଟର ଜେନେରାଲଙ୍କୁ ପରାମର୍ଶ ଦେଇଥିଲେ। ହାଇକୋର୍ଟ ଆହୁରି କହିଥିଲେ ଯେ, ପୁଲିସକୁ ହିଂସା ମାମଲାରେ ଅଦାଲତଙ୍କ ନିର୍ଦେଶର ଆବଶ୍ୟକତା ନାହିଁ। ପୁଲିସ ସ୍ବତ୍ତଃ ମାମଲା ବିଷୟରେ ଅବଗତ ହୋଇ କାର୍ଯ୍ୟାନୁଷ୍ଠାନ ନେବା ଉଚିତ।
Comments are closed.