ଜାତୀୟ ବିଜ୍ଞାନ ଦିବସ ଆଜି, ଭାରତୀୟ ବୈଜ୍ଞାନିକଙ୍କୁ ମୋଦିଙ୍କ ପ୍ରଶଂସା
ନୂଆଦିଲ୍ଲୀ: ଆଜି ହେଉଛି ଜାତୀୟ ବିଜ୍ଞାନ ଦିବସ। ସାରା ଦେଶ ଆଜି ବିଜ୍ଞାନ ଦିବସ ପାଳନ କରୁଛି। ପ୍ରତିବର୍ଷ ଫେବୃଆରୀ ୨୮ରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଏ। ଏହି ଅବସରରେ ଦେଶର ବୈଜ୍ଞାନିକମାନଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସେ ଟ୍ବିଟ କରି କହିଛନ୍ତି ଯେ, ଆମ ଦେଶର ବୈଜ୍ଞାନିକଙ୍କ ପ୍ରତିଭା ଏବଂ ଦୃଢତାକୁ ସମ୍ମାନ ଜଣାଇବା ପାଇଁ ଏହି ଦିବସ ଏକ ସୁଯୋଗ। ସେମାନଙ୍କର ଅଭିନବ ଉତ୍ସାହ ଏବଂ ଅଗ୍ରିମ ଅନୁସନ୍ଧାନ କେବଳ ଭାରତ ନୁହେଁ ସାରା ଦୁନିଆକୁ ସହାୟତା କରିଛି। ଲଗାତାର ଭାବେ ଭାରତୀୟ ବୈଜ୍ଞାନିକମାନେ ଆଗକୁ ବଢୁଥିବା ବେଳେ ଆଗାମୀ ଯୁବପିଢି ମଧ୍ୟ ବିଜ୍ଞାନ କ୍ଷେତ୍ରରେ ନିଜ ଅନୁଭବକୁ ବିକଶିତ କରିପାରିବେ।
ଜାନୁଆରୀ ୩ରେ ବେଙ୍ଗାଲୁରୁରେ ଚାଲିଥିବା ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୭ତମ ଅଧିବେଶନରେ ସେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍ କରି କହିଛନ୍ତି ଯେ, ଭାରତ ସରକାର ଭାରତରେ ଗବେଷଣା ଏବଂ ନବୀକରଣ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବାକୁ ଅନେକ ଉଦ୍ୟମ କରୁଛନ୍ତ। ମୁଁ ଏହି ବର୍ଷ ଆରମ୍ଭରେ ଭାରତୀୟ ବିଜ୍ଞାନ କଂଗ୍ରେସ ସମୟରେ ବିଜ୍ଞାନ ସମ୍ବନ୍ଧୀୟ ଦିଗ ବିଷୟରେ କହିଥିଲି। ପୁଣି ଥରେ ଏହାକୁ ସେୟାର କରୁଛି।
୨୮ ଫେବୃଆରୀ ୧୯୨୮ରେ ଭାରତୀୟ ପଦାର୍ଥ ବିଜ୍ଞାନୀ ସାର୍ ସି.ଭି ରମଣ ‘ରମଣ ପ୍ରଭାବ’ର ଆବିଷ୍କାର କରିଥିଲେ। ସେହିଦିନ ଠାରୁ ପ୍ରତିବର୍ଷ ଏହି ଦିନ ସାରା ଦେଶରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଏ।
Comments are closed.