Odisha Link
Bridging the Missing Links in Odisha

୭୫ ରାଷ୍ଟ୍ରକୁ ଅଣାୟତ୍ତ କଲାଣି କରୋନା

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଏବେ ଏହାର କାୟା ବିସ୍ତାର କରି ଚୀନ୍‌ ପରେ ମୋଟ ୭୫ଟି ରାଷ୍ଟ୍ରରେ ପହଞ୍ଚି ସାରିଲାଣି। କରୋନା ଭାଇରସ୍‌ରେ ୩୨୦୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୯୩,୧୮୬ରୁ ଅଧିକ ଲୋକ ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଭାରତରେ ଦିଲ୍ଲୀ ଓ ହାଇଦ୍ରାବାଦର ଜଣେ ଲେଖାଏ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ଜଣାପଡ଼ିବା ପରେ ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ଇତି ମଧ୍ୟରେ ରାଜସ୍ଥାନର ଜୟପୁରରେ ଜଣେ ଇଟାଲୀୟ ମହିଳା ପର୍ଯ୍ୟଟକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। କରୋନା ଚିହ୍ନଟ ହେବା ପରେ ଦକ୍ଷିଣ ଦିଲ୍ଲୀ ହୋଟେଲରେ ଥିବା ୨୧ ଇଟାଲୀ ପର୍ଯ୍ୟଟକ କରୋନା ଆକ୍ରାନ୍ତ ଆକଳନ କରାଯାଇ ୨୧ ଇଟାଲୀ ପର୍ଯ୍ୟଟକଙ୍କ ସହ ୩ ଭାରତୀୟଙ୍କୁ ଆଇଟିବିପି କ୍ୟାମ୍ପକୁ ନିଆଯାଇଛି। ଆଜି ହିଁ ମୋଟ୍ ୨୪ ଜଣ ସନ୍ଦିଗ୍ଧ ରିପୋର୍ଟ ଆସିବ। ୨୧ ଇଟାଲୀ ପର୍ଯ୍ୟଟକଙ୍କ ମଧ୍ୟରେ ୮ ଜଣ ପୁରୁଷ ରହିଥିବା ବେଳେ ୧୩ ଜଣ ମହିଳା ରହିଛନ୍ତି।

ସେହିପରି ନୋଏଡାର ୬ ସନ୍ଦିଗ୍ଧଙ୍କ ପରୀକ୍ଷା ନୀରିକ୍ଷା ପରେ ସେମାନଙ୍କ ସାମ୍ପୁଲ ନେଗେଟିଭ ବାହାରିଛି। ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି। ପରୀକ୍ଷଣ ପାଇଁ ସାମ୍ପୁଲ ପଠାଯାଇଥିଲା ପୁନେ। କରୋନା ଭାଇରସ୍ ପଜିଟିଭ୍ ଥିବା ଦିଲ୍ଲୀର ବ୍ୟକ୍ତି ଜଣଙ୍କ ଆଗ୍ରାରେ ଏକ ପାର୍ଟି ଦେଇଥିଲେ। ଏଥିରେ ଗ୍ରେଟର ନୋଏଡାର ଏକ ଘରୋଇ ସ୍କୁଲର ୨ ଜଣ ପିଲାଙ୍କ ସମେତ ୫ ଜଣ ଅଭିଭାବକ ସାମିଲ ହୋଇଥିଲେ। କାଳେ ଏହି ବ୍ୟକ୍ତିଙ୍କଠାରୁ କରୋନା ଭାଇରସ୍ ସଂକ୍ରମିତ ହୋଇଥିବ ସନ୍ଦେହ କରି ସମସ୍ତ ପରିବାରକୁ ଆଇସୋଲେସନ ଓ୍ବାର୍ଡରେ ରଖାଯାଇଥିଲା । ସିଡିଏମଓଙ୍କ ପରାମର୍ଶରେ ସ୍କୁଲକୁ ୯ ତାରିଖ ଯାଏଁ ବନ୍ଦ କରିଦେଇଛନ୍ତି କର୍ତ୍ତୃପକ୍ଷ। ଆଜି ଏହି ସ୍କୁଲର ବ୍ରାଞ୍ଚ ସମେତ ମୋଟ୍ ୫ଟି ସ୍କୁଲକୁ ବନ୍ଦ କରିଦିଆଯାଇଛି।

ସ୍ଥିତିକୁ ଦେଖି ଦେଶର ସମସ୍ତ ବିମାନ ବନ୍ଦରରେ ସ୍କ୍ରିନିଂ ଜୋରଦାର କରାଯାଇଛି। ଏପରି କି ସୁରକ୍ଷାକର୍ମୀଙ୍କୁ ମାସ୍କ ଓ ଗ୍ଲୋବ୍ସ ଆଦି ଦିଆଯାଇଛି। ଭାରତ ସରକାର ନୂଆ ଟ୍ରାଭେଲ ଆଡଭାଇଜରୀ ଜାରି କରିବା ସହ ଲୋକଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି। ଭାରତ ସରକାର ଜାରି କରିଥିବା ନୂଆ ଟ୍ରାଭେଲ ଆଡଭାଇଜରୀ ଅନୁସାରେ, ଚାଇନା, ଇଟାଲୀ, ଇରାନ୍, ଦକ୍ଷିଣ କୋରିଆ ଓ ଜାପାନରୁ ଭାରତ ଆସିବାକୁ ଥିବା ସମସ୍ତ ଭିସା ରଦ୍ଦ କରାଯାଇଛି। ଭାରତୀୟ ଇମିଗ୍ରେସନ ବ୍ୟୁରୋ ଏହି ୫ ଦେଶ ସହ ହଂକଂ, ମାକାଉ, ଭିଏତନାମ୍, ମ୍ୟାଲେସିଆା, ଇଣ୍ଡୋନେସିଆ, ନେପାଳ, ଥାଇଲ୍ୟାଣ୍ଡ, ସିଙ୍ଗାପୁର ଓ ତାଇଓ୍ୱାନ୍ ଭଳି ଦେଶରୁ ଆସୁଥିବା ଯାତ୍ରୀଙ୍କ ମେଡିକାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି।

Comments are closed.