ଉନ୍ନାଓ କାଣ୍ଡ: ପୀଡିତା ବାପାଙ୍କ ହତ୍ୟା ମାମଲାରେ କୁଲଦୀପ ସିଂହ ସେଙ୍ଗାର ଦୋଷୀ ସାବ୍ୟସ୍ତ

ଲକ୍ଷ୍ନୌ: ଆଜି ଦିଲ୍ଲୀର ତିସ ହଜାରୀ କୋର୍ଟ ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ବାପାଙ୍କ ହତ୍ୟା ମାମଲାର ରାୟ ଶୁଣାଇଛନ୍ତି। ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ବାପାଙ୍କ ହତ୍ୟା ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ମାମଲାର ରାୟ ଶୁଣାଇ ସେଙ୍ଗାରଙ୍କ ସମେତ ୭ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେପଟେ ଘଟଣାରେ ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ। ତେବେ ୭ଜଣଙ୍କ ଦଣ୍ଡାଦେଶର ଶୁଣାଣି ମାର୍ଚ୍ଚ ୧୨ ତାରିଖରେ ହେବ।
ପୀଡିତାଙ୍କ ପିତା ୯ ଏପ୍ରିଲ ୨୦୧୮ରେ ବିଚାର ବିଭାଗୀୟ ହେପାଜତରେ ମୃତ୍ୟୁବରଣ କରିଥିଲେ। ଏହି ହତ୍ୟା ମାମଲାରେ ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ସମେତ ଅନ୍ୟ ୧୧ ଜଣ ଅଭିଯୁକ୍ତ ରହିଥିଲେ । ଜୁନ ୪, ୨୦୧୭ରେ ପୀଡିତା କୁଲଦୀପ ସିଂହ ସେଙ୍ଗରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହାପରେ ସେଙ୍ଗରଙ୍କ ଭାଇ ଅତୁଲ ସିଂ ଏବଂ ତାଙ୍କ ସହଯୋଗୀ ପୀଡିତାଙ୍କ ବାପାଙ୍କୁ ମାଡ ମାରି ଅଧାମରା ଅବସ୍ଥାରେ ପୋଲିସକୁ ହସ୍ତାନ୍ତର କରିଦେଇଥିଲେ।
ତେବେ ପୀଡିତାଙ୍କ ପିତାଙ୍କୁ ଜେଲ ସ୍ଥାନାନ୍ତର କରିବାର କିଛି ଘଣ୍ଟା ମଧ୍ୟରେ ସେ ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ। ତେବେ ତିସ ହଜାରୀ କୋର୍ଟ ୨୦ ଡିସେମ୍ବର ୨୦୧୯ ରେ ସେଙ୍ଗରଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହା ବ୍ୟତୀତ କୋର୍ଟ ୨୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଥିଲେ। ଏହି ଜରିମାନା ମଧ୍ୟରୁ ୧୦ ଲକ୍ଷ ଟଙ୍କା ପୀଡିତାଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଅପରପକ୍ଷେ ତିସ ହଜାରୀ କୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ କୁଲଦୀପ ସିଂ ସେଙ୍ଗର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି।
Comments are closed.