୨୦ ବର୍ଷର ମୁଖ୍ୟମନ୍ତ୍ରୀ: ନବୀନଙ୍କ ବାବଦରେ ୨୦ଟି ଅଜଣା ତଥ୍ୟ
ଭୁବନେଶ୍ବର: ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ନବୀନ ପଟ୍ଟନାୟକ ସେବେ ଠାରୁ ଓଡ଼ିଶାର ଅପ୍ରତିଦ୍ବନ୍ଦ୍ବୀ ମୁଖିଆ ଭାବେ ଶାସନ କରି ଆସୁଛନ୍ତି। ଏକଦା ରାଜନୀତିର ବର୍ଣ୍ଣବୋଧ ଜାଣିନଥିବା ନବୀନ ବିଗତ ୨୦ ବର୍ଷର ମୁଖ୍ୟମନ୍ତ୍ରୀତ୍ବ କାଳରେ କ୍ରମଶଃ ନିଜକୁ ଜଣେ ପୋଖତ ରାଜନେତା ବୋଲି ପ୍ରମାଣିିତ କରିସାରିଛନ୍ତି। ନବୀନଙ୍କୁ ଗାଦିଚ୍ୟୁତ କରିବା ଲାଗି ବିରୋଧୀଙ୍କ ସବୁ ଚେଷ୍ଟା, ଗର୍ଜନ ଓ ରାଜନୈତିକ ଉପଚାର ବିଫଳ ହୋଇଛି। ବରଂ ଦିନକୁ ଦିନ ସେ ଓଡ଼ିଶାବାସୀଙ୍କ ଅଧିକ ପ୍ରିୟଭାଜନ ହେବାରେ ଲାଗିଛନ୍ତି। ଆଜି ତାଙ୍କର ମୁଖ୍ୟମନ୍ତ୍ରୀତ୍ବର ୨୦ ବର୍ଷ ପୂରଣ ହୋଇଛି। ନୂଆ ଶତାବ୍ଦୀର ନୂଆ ନେତାଙ୍କ ଏ ଦୁଇ ଦଶନ୍ଧିର ରାଜନୈତିକ ଯାତ୍ରା ବହୁ ଉତ୍ଥାନପତନ ଦେଇ ଗତିକରିଛି। ତେବେ ନିଜର ନିର୍ମଳ ଭାବମୂର୍ତ୍ତି ବଜାୟ ରଖିବାରେ ସର୍ବଦା ସଫଳ ହୋଇ ଆସିଥିବା ନବୀନ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର, ରାଜନୈତିକ ସମସ୍ୟା, ରାଜ୍ୟର ବିପତ୍ତି ଓ ଜନସାଧାରଣଙ୍କ କ୍ରୋଧକୁ ସାମନା କରିବା ସହ ସଫଳତାର ସହ ମୁକାବିଲା ମଧ୍ୟ କରିଛନ୍ତି।
ମିତଭାଷୀ ନବୀନଙ୍କ ସଫଳତାର ଅନେକ କାରଣ ଭିତରେ ଅନ୍ୟତମ ତାଙ୍କର ବ୍ୟକ୍ତିତ୍ବ, ସାଧାରଣ ବେଶଭୂଷା ଓ ଜନମଙ୍ଗଳକାରୀ ପଦକ୍ଷେପ। ଆସନ୍ତୁ ଏ ଅବସରରେ ଜାଣିବା ଓଡ଼ିଶାର ଏହି ଦୀର୍ଘସେବୀ ମୁଖ୍ୟମନ୍ତ୍ରୀଙ୍କ ବାବଦରେ ୨୦ଟିଏ ଅଜଣା ବା ସ୍ବଳ୍ପଜଣା ତଥ୍ୟ।
- ଡୁନ୍ ସ୍କୁଲରେ ପାଠ ପଢ଼ିଥିବା ନବୀନଙ୍କର ବାଲ୍ୟବନ୍ଧୁଙ୍କ ମଧ୍ୟରେ ବହୁ ଜଣାଶୁଣା ବ୍ୟକ୍ତିତ୍ବ ଥିଲେ। ଇନ୍ଦିରା ଗାନ୍ଧୀଙ୍କ କନିଷ୍ଠ ପୁତ୍ର ସଂଜୟ ଗାନ୍ଧୀ ଥିଲେ ତାଙ୍କର ସହପାଠୀ। ବିଦ୍ୟାଳୟ ସମୟରୁ କଳା ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଥିଲା। ସେ ନିଜେ ମଧ୍ୟ କେବେ କେବେ ଚିତ୍ରକଳାରେ ସଉକ ରଖନ୍ତି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ।
- ୬୦ ଦଶକରେ ଦିଲ୍ଲୀର ଓବରଏ ହୋଟେଲରେ ନବୀନ ପଟ୍ଟନାୟକ ସାଇକ୍ଦିଲ୍ଲୀ ନାମରେ ଏକ ଫେସନ୍ ବୁଟିକ୍ ଖୋଲିଥିଲେ। ଲଣ୍ଡନର ଅନେକ ତାରକା ଶୋରୁମ୍କୁ ତାଙ୍କର ସାମଗ୍ରୀ ଯାଉଥିଲା। ନବୀନ କିନ୍ତୁ ନିଜେ ବେଶ୍ ସାଧାରଣ ପୋଷାକ ପିନ୍ଧିବାକୁ ଭଲପାଆନ୍ତି।
- ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ନବୀନ ଜଣେ ଲେଖକ ଭାବେ ମଧ୍ୟ ଜଣାଶୁଣା ଥିଲେ। ତାଙ୍କର ୪ ଗୋଟି ପୁସ୍ତକ ପ୍ରକାଶ ପାଇଛି। ତାଙ୍କ ଲିଖିତ ତିନୋଟି କଫିଟେବୁଲ୍ ପୁସ୍ତକ ହେଲା ଏ ସେକେଣ୍ଡ ପାରାଡାଇଜ୍, ଏ ଡେଜର୍ଟ କିଙ୍ଗଡମ୍, ଗାର୍ଡେନ୍ ଅଫ୍ ଲାଇଫ୍। ନବୀନଙ୍କର ପୁରୀ ଓ ଜଗନ୍ନାଥଙ୍କ ପ୍ରତି ବହୁ ପୂର୍ବରୁ ଦୁର୍ବଳତା ରହିଛି। ସାକ୍ରେଡ୍ ଜିଓଗ୍ରାଫି ଅଫ୍ ପୁରୀ ଶୀର୍ଷକରେ ମଧ୍ୟ ସେ ଏକ ବହି ଲେଖିଛନ୍ତି।
- ନବୀନ ଜଣେ ଭଲ ପାଠକ ମଧ୍ୟ। ଖାଲି ସମୟରେ ସେ ପଢ଼ାପଢ଼ି କରିବାକୁ ଭଲପାଆନ୍ତି। ସବୁବେଳେ ବହି ମେଳରେ ରରହିବାକୁ ତାଙ୍କର ପସନ୍ଦ। ତାଙ୍କ ଘର ହେଉ ବା କାର୍ଯ୍ୟାଳୟ, ସବୁଠି ବହିର ବିଶାଳ ସମ୍ଭାର ଦେଖିବାକୁ ମିଳେ।
- ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ନବୀନ ବେଶ୍ ବିଳାସମୟ ଜୀବନଯାପନ କରୁଥିଲେ। ଦିଲ୍ଲୀର ସମ୍ଭ୍ରାନ୍ତ ଗୋଷ୍ଠୀ ଭିତରେ ସେ ଜଣାଶୁଣା ଥିଲେ। ଆମେରିକାରେ ମିକ୍ ଜାଗର୍, ଜାକଲିନ୍ କେନେଡି ଆଦିଙ୍କ ସହ ତାଙ୍କର ଘନିଷ୍ଠତା ଥିଲା। ଜାକଲିନ୍ ନବୀନଙ୍କର ଗୋଟିଏ ବହି ସଂପାଦନା କରିଛନ୍ତି। ବିଶ୍ବ ଭ୍ରମଣ କରିବାକୁ ନବୀନ ଭଲ ପାଉଥିଲେ, ବହୁ ବର୍ଷ ଆମେରିକାରେ କଟାଇଥିଲେ।
- ମୁଖ୍ୟମନ୍ତ୍ରୀ ହେବା ପରେ ୨୦୧୨ରେ ମାତ୍ର ଗୋଟିଏ ଥର ବିଦେଶ ଯାଇଥିଲେ ନବୀନ। ଲଣ୍ଡନରେ ସେ ଓଡ଼ିଶା ହାଣ୍ଡଲୁମ ପ୍ରଦର୍ଶନୀ ଉଦ୍ଘାଟନ କରିଥିଲେ। ସେଠାରେ ଅବସ୍ଥାନ କାଳରେ ବିଜୁ ଜନତା ଦଳରେ ସାଂଗଠନିକ ସଙ୍କଟ ଦେଖାଦେବାରୁ ତୁରନ୍ତ ଓଡ଼ିଶା ଫେରି ଆସିଥିଲେ ନବୀନ।
- ୧୯୯୭ରେ ବାପା ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ରାଜନୀତିରେ ପ୍ରବେଶ କରିବାକୁ ସେ ଆଦୌ ଆଗ୍ରହୀ ନଥିଲେ। ତେବେ ଇନ୍ଦର କୁମାର ଗୁଜୁରାଲ୍ ତାଙ୍କୁ ରାଜନୀତିରେ ପ୍ରବେଶ ପାଇଁ ପ୍ରବର୍ତ୍ତାଇଥିଲେ। ଗୁଜରାଲଙ୍କ କଥାରେ ରାଜି ହୋଇ ରାଜନୀତିରେ ପାଦ ଦେଇଥିବା ନବୀନ ସେବେଠାରୁ ଓଡ଼ିଶାର ଅପ୍ରତିଦ୍ବନ୍ଦ୍ବୀ ଓ ସବୁଠୁ ଲୋକପ୍ରିୟ ନେତା ହୋଇ ରହିଛନ୍ତି।
- ଇଣ୍ଡିଆନ୍ ନାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚରାଲ୍ ହେରିଟେଜ୍ (INTACH)ର ସେ ଅନ୍ୟତମ ପ୍ରତିଷ୍ଠାତା। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ କେନ୍ଦ୍ରରେ ଇସ୍ପାତ ଓ ଖଣି ମନ୍ତ୍ରୀ ଥିଲେ। ସଂସଦର ଏକାଧିକ କମିଟିରେ ମଧ୍ୟ ସଦସ୍ୟ ରହିଥିଲେ ନବୀନ।
- ଗାଜେଟ୍ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ନବୀନ। ସେ ମୋବାଇଲ ଫୋନ୍ ବ୍ୟବହାର କରନ୍ତିନାହିଁ। ଦେଶର ଅନ୍ୟ ରାଜନେତାଙ୍କ ତୁଳନାରେ ବହୁ ବିଳମ୍ବରେ ସୋସିଆଲ୍ ମିଡିଆରେ ପ୍ରବେଶ କରିଥିଲେ ନବୀନ।
- ନିଜର ବନ୍ଧୁମାନଙ୍କ ଗହଣରେ ନବୀନ ପଟ୍ଟନାୟକ ଶ୍ରଦ୍ଧା ନାମ ପପୁ ଭାବେ ଜଣାଶୁଣା। ନବୀନ ବେଶ୍ ସିଗାରେଟ୍ ଟାଣନ୍ତି। ସେ ଫେମସ୍ ଗ୍ରାଉଜ୍ ହ୍ବିସ୍କି ଓ ଡନ୍ହିଲ୍ ସିଗାରେଟ୍ ପିଇବାକୁ ପସନ୍ଦ କରନ୍ତି ବୋଲି ନବୀନଙ୍କ ଜୀବନୀ ପୁସ୍ତକରେ ଲେଖିଛନ୍ତି ସାମ୍ବାଦିକ ରୁବେନ୍ ବାନାର୍ଜୀ। ତେବେ ଫ୍ରାଏଡ୍ ଚିକେନ୍ ଓ ଭେଣ୍ଡି ଭଜା ତାଙ୍କର ପ୍ରିୟ ଖାଦ୍ୟ ମଧ୍ୟରୁ ଅନ୍ୟତମ।
- ବାହାରେ ସବୁବେଳେ ଧଳା କୁର୍ତ୍ତା ପାଇଜାମା ପିନ୍ଧୁଥିବା ନବୀନ ଘରେ ଟିସାର୍ଟ ଓ ଛକ ଲୁଙ୍ଗି ପିନ୍ଧନ୍ତି। ଘରେ ହେଉ ବା ବାହାରେ ସବୁବେଳେ ସେ ପାଦରେ ସ୍ଲିପର ପିନ୍ଧନ୍ତି।
- ଦେଶର ଅନ୍ୟ ନେତାଙ୍କ ଭଳି ନବୀନ ସଭାସମିତିରେ ଗର୍ଜନ କରନ୍ତିନାହିଁ ବା ଲୋକଙ୍କୁ ଉତ୍ତେଜିତ ଅଥବା ପ୍ରଲୋଭିତ କରିବା ଭଳି ଭାଷଣ ଦିଅନ୍ତି ନାହିଁ। କ’ଣ ଭାଷଣ ଦେବେ ସେ ପୂର୍ବରୁ କାଗଜରେ ପ୍ରସ୍ତୁତ କରି ନେଇଥାଆନ୍ତି ଓ ସଭାରେ ତାହା ପାଠ କରନ୍ତି। ବିରୋଧୀଙ୍କୁ ଗଠନମୂଳକ ସମାଲୋଚନା କରନ୍ତି। କେବେ କୌଣସି ବିବାଦୀୟ ମନ୍ତବ୍ୟ ଦିଅନ୍ତି ନାହିଁ।
- ନବୀନ ପଟ୍ଟନାୟକ କେବେ କୌଣସି ସାମ୍ବାଦିକ ସମ୍ମିଳନୀ ଡାକନ୍ତି ନାହିଁ ବା ବିନା ପ୍ରସ୍ତୁତିରେ ସମ୍ବାଦିକଙ୍କ ଉତ୍ତର ଦିଅନ୍ତି ନାହିଁ। ସଚିବାଳୟରୁ ବାହାରିବା ବେଳେ ବା ଓଡ଼ିଶା ବାହାରେ କେବେ କେମିତି ତାଙ୍କୁ ସହସା ସାମ୍ବାଦିକଙ୍କ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ସେ ବେଶ୍ ସଂକ୍ଷିପ୍ତ ଉତ୍ତର ଦେଇ ଚାଲିଯାଆନ୍ତି।
- ଚଳିତ ପାଳି ପୂରା କରିପାରିଲେ ନବୀନ ପଟ୍ଟନାୟକ ଦେଶର ତୃତୀୟ ଦୀର୍ଘସେବୀ (୨୩ ବର୍ଷରୁ ଅଧିକ) ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିବେ। ସିକ୍କିମ୍ର ପଓ୍ବନ କୁମାର ଚାମଲିଙ୍ଗ ସର୍ବାଧିକ ୨୪ବର୍ଷରୁ ଅଧିକ ଏକକାଳୀନ ଭାବେ ମୁଖ୍ୟମନ୍ତ୍ରୀ ରହିଥିଲେ। ପଶ୍ଚିମ ବଙ୍ଗରେ ଜ୍ୟୋତି ବସୁ ମଧ୍ୟ ୨୩ ବର୍ଷରୁ ଅଧିକ କାଳ ମୁଖ୍ୟମନ୍ତ୍ରୀ ରହିଥିଲେ। ନବୀନ ଯଦି ୨୦୨୪ରେ ପୁନର୍ବାର ନିର୍ବାଚନ ଲଢ଼ନ୍ତି ଓ ବିଜୟୀ ହୁଅନ୍ତି ତେବେ ସେ ହେବେ ଦେଶର ସର୍ବାଧିକ ସମୟ ଶାସନରେ ଥିବା ମୁଖ୍ୟମନ୍ତ୍ରୀ।
- ନବୀନ ବାମହାତୀ। ସେ ଦସ୍ତଖତ ଓ ଚିତ୍ର ଆଦି ବାମହାତରେ କରିଥାଆନ୍ତି। ଏପରିକି ଅନ୍ୟକୁ କିଛି ଦେବା ବେଳେ ମଧ୍ୟ ବାମହାତ ବ୍ୟବହାର କରନ୍ତି।
- ନବୀନ ଭାରତର ଏକମାତ୍ର ମୁଖ୍ୟମନ୍ତ୍ରୀ ଯେ ରାଜ୍ୟର ଭାଷା ଜାଣନ୍ତି ନାହିଁ ବୋଲି ପ୍ରବାଦ ରହିଛି। ତେବେ ୨୦୧୪ ନିର୍ବାଚନ ବେଳେ ନିଜ ଘରପାଖ ମତଦାନ କେନ୍ଦ୍ରରୁ ଭୋଟ୍ ଦେଇ ଫେରୁଥିବା ସମୟରେ ହଠାତ ଜଣେ ଫଳବିକାଳିଙ୍କ ସହ ଓଡ଼ିଆରେ କଥା ହୋଇ ନବୀନ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ସେ ଓଡ଼ିଆରେ କଥା ହୋଇପାରନ୍ତି, ତେବେ ଇଂରାଜୀ ତାଙ୍କ ପାଇଁ ଅଧିକ ସହଜ ବୋଲି ତାଙ୍କ ସହ ନିକଟତର ରାଜନେତାମାନେ ମନ୍ତବ୍ୟ ଦିଅନ୍ତି।
- ନବୀନ ନିର୍ମଳ ଭାବମୂର୍ତ୍ତିରେ ବିଶ୍ବାସୀ। ପ୍ରଥମ ତିନି ପାଳି ମୁଖ୍ୟମନ୍ତ୍ରୀତ୍ବ କାଳରେ ଦୁର୍ନୀତି ବା ବିବାଦରେ ଫସିଥିବା ନେତା, ମନ୍ତ୍ରୀଙ୍କୁ ସେ ଦଳରୁ ବିଦା କରି ଚର୍ଚ୍ଚାରେ ରହିଥିଲେ। ଏପରିକି ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟ ମହାପାତ୍ର, ଦିଲୀପ ରାୟଙ୍କ ଭଳି କେତେଜଣ ଦଳର ପ୍ରତିଷ୍ଠାତା ସଦସ୍ୟଙ୍କୁ ମଧ୍ୟ ସେ ବିଦା କରିଥିଲେ।
- ନବୀନଙ୍କ ଭଉଣୀ ଗୀତା ମେହଟ୍ଟା ଜଣେ ଜଣାଶୁଣା ଲେଖିକା। ନବୀନଙ୍କ ଭିଣୋଇ (ଗୀତାଙ୍କ ସ୍ବାମୀ) ସନ୍ନି ମେହଟ୍ଟା ବିଶ୍ବର ଜଣେ ଆଗଧାଡ଼ିର ପ୍ରକାଶକ ଓ ସଂପାଦକ ଭାବେ ଜଣାଶୁଣା ଥିଲେ।
- ଏକଦା ପ୍ରଚୁର ଭ୍ରମଣ କରୁଥିବା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ସରକାରୀ ବା ଦଳୀୟ କାର୍ଯ୍ୟ ବ୍ୟତୀତ ବାବହାରକୁ ଯିବାକୁ ଭଲପାଆନ୍ତି ନାହିଁ। କାର୍ଯ୍ୟାଳୟରୁ ସିଧା ଘରକୁ ଆସନ୍ତି। ଘରେ ପଢ଼ାପଢ଼ି ସହ ନିଜର ଦୁଇ ପ୍ରିୟ କୁକୁର ବ୍ରୁନୋ ଓ ରକ୍ସି ସହ ଖେଳନ୍ତି ନବୀନ।
- ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସଂସଦରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ କରିବାକୁ ପ୍ରସ୍ତାବ ରଖିଥିଲେ ନବୀନ। ସେ ଲୋକସଭା ପାଇଁ ଦଳର ପ୍ରାର୍ଥୀ ଚୟନ କରିବା ବେଳେ ମଧ୍ୟ ଏହି ନିୟମ ପାଳନ କରି ଚର୍ଚ୍ଚାରେ ରହିଥିଲେ।
Comments are closed.