ମଧ୍ୟପ୍ରଦେଶ ରାଜନୀତି: କଂଗ୍ରେସ ବିଧାୟକଙ୍କ ଇସ୍ତଫା, କମଲନାଥଙ୍କୁ ଭେଟିଲେ ୨ ବିଜେପି ବିଧାୟକ

ଭୋପାଳ: ସାରା ଦେଶରେ ମଧ୍ୟପ୍ରଦେଶ ରାଜନୀତିକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହାରିମଧ୍ୟରେ ଆସନ୍ତା ୨୬ ତାରିଖରେ ରାଜ୍ୟସଭା ନିର୍ବାଚନା ରହିଛି। ଏନେଇ ଜମୁଛି ମଧ୍ୟପ୍ରଦେଶ ରାଜନୀତି। ରାଜ୍ୟସଭା ନିର୍ବାଚନ ପୂର୍ବରୁ ଶାସକ କଂଗ୍ରେସ ଏବଂ ବିରୋଧୀ ବିଜେପିର ବିଧାୟକ ଦଳ ବଦଳ କରିବେ ବୋଲି ସମ୍ଭାବନା ଦେଖାଦେଇଛି। ଯାହାକୁ ନେଇ ଗୁରୁବାର ରାତିରେ ମଧ୍ୟପ୍ରଦେଶରେ ରାଜନୀତି ସରଗରମ ରହିଛି। ସାରା ରାତି ଦୁଇ ଦଳର ରାଜ୍ୟ ମୁଖିଆ ଅନିଦ୍ରା ରହି ରାଜନୀତିକ ଗୋଟି ଚଳାଉଥିବା ଦେଖିବାକୁ ମିଳିଛି।
ଗୁରୁବାର ସନ୍ଧ୍ୟାରେ କଂଗ୍ରେସର ‘ନିଖୋଜ’ ବିଧାୟକ ହାର୍ଦ୍ଦିକ ସିଂ ଡୁଙ୍ଗୁ ଇସ୍ତଫା ଦେଇଥିଲେ। ଏହାର କିଛି ସମୟ ପରେ ଜଣେ ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବାସଭବନରେ ପହଞ୍ଚିଥିଲେ। ବିଜେପି ବିଦ୍ରୋହୀ ବିଧାୟକ ନାରାୟଣ ତ୍ରିପାଠୀ କମଲନାଥଙ୍କୁ ଭେଟିବାପରେ ବାଚସ୍ପତି ତ୍ରିପାଠୀ ବର୍ଚ୍ଛା କରଙ୍କୁ ମଧ୍ୟ ସେ ଭେଟିଥିଲେ। ଏହି ସମୟରେ ଚର୍ଚ୍ଚା ହେଉଥିଲା ଯେ ବିଜେପି ବିଧାୟକ ତ୍ରିପାଠୀ ଇସ୍ତଫା ଦେଇଛନ୍ତି। କିନ୍ତୁ ସେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ। ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସେ କମଲନାଥଙ୍କୁ ଭେଟିବାକୁ ଆସିଥିଲେ ବୋଲି କହିଥିଲେ।
ଏହାପରେ ରାତି ପ୍ରାୟ ଗୋଟାଏ ସମୟରେ ବିଜେପି ବିଧାୟକ ସଞ୍ଜୟ ପାଠକ କମଲନାଥଙ୍କ ବାସଭବନରେ ଥିବା ଦେଖିବାକୁ ମିଳିଥିଲା। ସେହିପରି କମଲନାଥ ସରକାରଙ୍କ ମନ୍ତ୍ରୀ ଗୋବିନ୍ଦ ସିଂ କହିଥିଲେ, ଦୁଇ ଜଣ ବିଧାୟକ ରାତିରେ କଂଗ୍ରେସରେ ଯୋଗଦେବେ। ଏହା ପରେ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ ଦ୍ୱିତୀୟ ବିଜେପି ବିଧାୟକ ଭାବରେ ଶରଦ କୋଲ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାପଡ଼ିଥିଲା।
ମଧ୍ୟପ୍ରଦେଶ ରାଜନୀତିକ ନାଟକ ପରେ ବିଜେପି ନେତା ଶିବରାଜ ସିଂ ଚୌହାନ ଏବଂ ନରେନ୍ଦ୍ର ସିଂ ତୋମାର ନୂଆଦିଲ୍ଲୀରେ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିବା ଜଣାପଡ଼ିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ କଂଗ୍ରେସର ଦୁଇ ‘ନିଖୋଜ’ ବିଧାୟକ ବିସାହୁଲାଲ ସିଂ ଏବଂ ରଘୁରଜ ସିଂ କାନସାନା ଏବଂ ସ୍ୱାଧୀନ ବିଧାୟକ ସୁରେନ୍ଦ୍ର ସିଂ ଶେରା ଚୁପ୍ ରହିଥିଲେ। ତେବେ ବିଧାୟକ ଡଙ୍ଗଙ୍କ ସହିତ ସମସ୍ତ ତିନିଜଣ ବିଧାୟକ ବାଙ୍ଗାଲୋରରେ ଥିବା ଜଣାପଡ଼ିଛି।
Comments are closed.