Odisha Link
Bridging the Missing Links in Odisha

ଫାଶିରୁ ବର୍ତ୍ତିବା ପାଇଁ ଗଳାବାଟ ଖୋଜୁଛନ୍ତି ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ଫାଶିରୁ ବର୍ତ୍ତିବା ପାଇଁ ପୁଣି ଆଇନର ଗଳାବାଟ ଖୋଜୁଛନ୍ତି ନିର୍ଭୟା ଦୋଷୀ। ଗତକାଲି ୪ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୨୦ ସକାଳ ୫.୩୦ରେ ଫାଶୀ ଦେବା ପାଇଁ ସମୟ ଧାର୍ଯ୍ୟ କରିଛି ପଟିଆଲା ହାଉସ କୋର୍ଟ। ମାତ୍ର ପୁଣି ଫାଶି ତାରିଖକୁ ଟାଳିବା ପାଇଁ ନୂଆ ଉପାୟ ଖୋଜୁଛନ୍ତି ନିର୍ଭୟା ଦୋଷୀ। ନିର୍ଭୟା ଦୋଷୀ ମୁକେଶ ପୁଣିଥରେ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରିବାକୁ ଦାବି କରିଛି। ପୂର୍ବରୁ ସେ ସୁପ୍ରିମକୋର୍ଟ ଓ ରାଷ୍ଟ୍ରପତିଙ୍କ ନିକଟରେ କ୍ୟୁରେଟିଭ ପିଟିସନ ଏବଂ ରାଜକ୍ଷମା ଆବେଦନ କରିଥିଲା କିନ୍ତୁ ଏହା ଖାରଜ ହୋଇଥିଲା। ଏବେ ସେ ପୁଣି ଥରେ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରିବାକୁ ଚାହୁଁଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଛି। ଏଥିସହ ସେ କାହିଁକି ଏଭଳି ଆବେଦନ କରିବାକୁ ଚାହୁଁଛି, ତା’ର ବି କାରଣ କୋର୍ଟରେ ଉପସ୍ଥାପନ କରିଛି।

ଦୋଷୀ ମୁକେଶ କହିଛି, ନିର୍ଭୟା ଘଟଣାରେ କୋର୍ଟ ନିଯୁକ୍ତ କରିଥିବା ଆମିକସ କ୍ୟୁରୀ ବ୍ରିନ୍ଦା ଗ୍ରୋଭର ତା’ ବିନା ଅନୁମତିରେ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ପାଇଁ ଦସ୍ତଖତ କରାଇ ନେଇଥିଲେ। ସେ ଆହୁରି କହିଛି ଯେ, ଜାନୁଆରୀ ୭ରେ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଥିଲେ ଓ ଏହାର ୭ ଦିନ ମଧ୍ୟରେ କ୍ୟୁରେଟିଭ ପିଟିସନ ଦାଖଲ କରିବାକୁ ପଡ଼ିବ ବୋଲି ମିଛ କହି ବ୍ରିନ୍ଦା ତା’ଠାରୁ ଦସ୍ତଖତ କରାଇ ନେଇଥିଲେ।

ମୁକେଶ ତା’ର ଓକିଲ ଏମଏଲ ଶର୍ମାଙ୍କ ଦ୍ୱାରା ସୁପ୍ରିମକୋର୍ଟରେ କରିଥିବା ଆବେଦନରେ କହିଛି ଯେ, ନିୟମ ଅନୁସାରେ ରିଭ୍ୟୁ ପିଟିସନ ଖାରଜ ହେବା ପରେ କ୍ୟୁରେଟିଭ ପିଟିସନ ଦାଖଲ କରାଯାଏ। ଏଥିପାଇଁ ଦୋଷୀକୁ ୩ ବର୍ଷର ସମୟ ଦିଆଯାଏ। ଏହି ସମୟସୀମା ମଧ୍ୟରେ ହିଁ ଦୋଷୀ କ୍ୟୁରେଟିଭ ପିଟିସନ ଦାଖଲ କରିବାର ପ୍ରାବଧାନ ରହିଛି। ମୁକେଶର ରିଭ୍ୟୁ ପିଟିସନ ୨୦୧୮ ଜୁଲାଇ ମାସରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଖାରଜ ହୋଇଥିଲା। ତେଣୁ ଆଇନରେ ମୁକେଶକୁ ଯେଉଁ ଅଧିକାର ଦିଆଯାଇଛି, ତା’କୁ କାର୍ଯ୍ୟକାରୀ କରାଯାଉ। ୨୦୨୧ ଜୁଲାଇ ମାସ ମଧ୍ୟରେ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ କରିବାକୁ ତା’କୁ ଅନୁମତି ଦିଆଯାଉ ବୋଲି ତା’ ଓକିଲ ଆବେଦନ କରିଛନ୍ତି।

Comments are closed.