ରାଜ୍ୟରେ ଆଉ ଦୁଇଦିନ ବର୍ଷା ସମ୍ଭାବନା
ଭୁବନେଶ୍ବର: ଆଜିଠାରୁ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିବ। ଆସନ୍ତା କାଲି ପର୍ଯ୍ୟନ୍ତ ବର୍ଷା ସହିତ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବ। ଗତ ୨୪ ଘଣ୍ଟା ଭିତରେ ଦାରିଙ୍ଗବାଡ଼ିରେ ସର୍ବାଧିକ ୩୪ ମିଲିମିଟର ବର୍ଷା ହୋଇଥିବା ବେଳେ ତାଳଚେରରେ ୨୯ ମିମି, ଅନୁଗୋଳରେ ୨୦ ମିମି, ଭୁବନେଶ୍ବରରେ ୧୩.୨ ମିମି, ସମ୍ବଲପୁରରେ ୧୪ ମିମି, ଟିଟିଲାଗଡ଼ରେ ୯ ମିମି, ସୋନପୁରରେ ୮ ମିମି, ସୁନ୍ଦରଗଡ଼ ଓ ବାଲେଶ୍ବରରେ ୭ ମମି, ବର୍ଷା ହୋଇଛି।
ଶୁକ୍ରବାର ବାଲେଶ୍ବର, ଭଦ୍ରକ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଝାରସୁଗୁଡ଼ା, ଅନୁଗୋଳ, ଢ଼େଙ୍କାନାଳ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଜିଲାର କିଛି ସ୍ଥାନରେ ବର୍ଷା ହେବ। ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶନିବାର ଦିନ ଉପକୂଳବର୍ତ୍ତୀ ଜିଲା, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, କନ୍ଧମାଳରେ ପବନ ସହିତ ବର୍ଷା ସମ୍ଭାବନା ରହିଛି। ଆଠ ତାରିଖ ଦିନ କିଛି ସ୍ଥାନରେ ସ୍ବଳ୍ପ ବୃଷ୍ଟିପାତର ସମ୍ଭାବନା ରହିଥିବା ବେଳେ ବାକି ସ୍ଥାନରେ ପାଗ ଶୁଖିଲା ରହିବ।
Comments are closed.