Odisha Link
Bridging the Missing Links in Odisha

ମଧ୍ୟପ୍ରଦେଶ ସଙ୍କଟ: ରାତି ଅଧିଆ ଇସ୍ତଫା ପର୍ବ, ସୋନିଆଙ୍କୁ ଭେଟିଲେ ରାହୁଲ

ଭୋପାଲ: ଆଜି ହେଉଛି ରଙ୍ଗର ପର୍ବ ହୋଲି। ଏହାକୁ ସମସ୍ତେ ଧୁମଧାମରେ ପାଳନ କରୁଥିବା ବେଳେ ମଧ୍ୟ ପ୍ରଦେଶରେ କିନ୍ତୁ ଇସ୍ତଫା ପର୍ବ ଚାଲିଛି। କଂଗ୍ରେସର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଏବେ ମଧ୍ୟପ୍ରଦେଶ ରାଜନୀତିକୁ ଉଷ୍ମ କରି ଦେିଛି। ଗତକାଲି ୧୭ କଂଗ୍ରେସ ବିଧାୟକ ବେଙ୍ଗାଲୁରୁରେ ମେଳି କରିବା ପରେ ମୁଖ୍ୟମନ୍ତ୍ରୀ କମଲ ନାଥ ରାତି ଅଧିଆ ବୈଠକ ଡାକିଛନ୍ତି। ଏହି ବୈଠକ ପରେ ୨୦ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।

ମଧ୍ୟପ୍ରଦେଶ କଂଗ୍ରେସ ସରକାରରେ କିଛି ଦିନର ଛକାପଞ୍ଝା ଭିତରେ ସୋମବାର ରାତିରେ ଦେଖାଦେଇଥିଲା ମହାଡ୍ରାମା। ରାତି ଅଧରେ ମୁଖ୍ୟମନ୍ତ୍ରୀ କମଲନାଥ, କ୍ୟାବିନେଟ ବୈଠକ ଡକାଇଥିବାବେଳେ ସେଠାରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ଯାହାକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିଲେ। ଦଳରେ ଦେଖାଦେଇଥିବା ସଙ୍କଟକୁ ଦୂର କରିବା ପାଇଁ ଏମାନେ ଇସ୍ତଫା ଦେଇଛନ୍ତି, ଏବଂ ଏମାନଙ୍କ ସ୍ଥାନରେ କିଛି ସିନ୍ଧିଆ ଶିବିରର ବିଧାୟକଙ୍କୁ ମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ଚାଲିଛି।

ସେପଟେ ରାତିରେ ମଧ୍ୟପ୍ରଦେଶ ପ୍ରସଙ୍ଗକୁ ନେଇ ସୋନିଆଙ୍କୁ ଭେଟିଥିଲେ ରାହୁଲ। ଅନ୍ୟପଟେ ଦଳରେ ଦେଖାଦେଇଥିବା ସଙ୍କଟ ଲାଗି ସିନ୍ଧିଆଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କୁ ସ୍ବାଇନ ଫ୍ଲୁ ହୋଇଥିବାରୁ ତାଙ୍କ ସହିତ ଯୋଗାଯୋଗ ହୋଇପାରୁନଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ। ଏହାସହ ‘ଯିଏ ପ୍ରକୃତ କଂଗ୍ରେସିଆ ହୋଇଥିବ, ସେ କଂଗ୍ରେସରେ ରହିବ’ ବୋଲି ସେ କହିଛନ୍ତି।

କଂଗ୍ରେସର ଏପରି ସ୍ଥିତିରେ ବିଜେପିର କୌଣସି ହାତ ନାହିଁ । ଏହା ତାଙ୍କର ନିଜ ମାମଲା ବୋଲି କହିଛନ୍ତି ବିଜେପି ନେତା ଶିବରାଜ ସିଂ ଚୌହାନ। ସୂଚନାଥାଉକି, କମଲନାଥ ସରକାରରେ ୧୨୦ ବିଧାୟକ ଅଛନ୍ତି। ଯେଉଁଥିରେ କଂଗ୍ରେସର ୧୧୪ ଜଣ ଥିବାବେଳେ, ଦୁଇ ଜଣ ବିଏସପି, ଜଣେ ସମାଜବାଦୀ ପାର୍ଟି ଓ ୪ ଜଣ ସ୍ବାଧୀନ ବିଧାୟକ ଅଛନ୍ତି। ଅନ୍ୟପଟେ ବିଜେପିର ୧୦୭ ବିଧାୟକ ଅଛନ୍ତି। ତେଣୁ ଯଦି ୧୭ ଜଣ ବିଧାୟକଙ୍କୁ କଂଗ୍ରେସ ହରାଇଦେବ ତେବେ କର୍ଣ୍ଣାଟକ ପରେ ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସ ସରକାର ହରାଇବ ବୋଲି କୁହାଯାଉଛି।

Comments are closed.