Odisha Link
Bridging the Missing Links in Odisha

କରୋନା ପାଇଁ ଶିବଲିଙ୍ଗରେ ମାସ୍କ

ବାରଣାସୀ: ଚାଇନା ପରେ ଏବେ ଭାରତରେ କାୟା ବିସ୍ତାର କରୁଛି କରୋନା ଭାଇରସ୍। ଦିନକୁ ଦିନ ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତ ସଂଖ୍ୟା ୬୨ ଛୁଇଁଲାଣି। କରୋନା ସଂକ୍ରମଣରୁ ବର୍ତ୍ତିବାର ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି ସଚେତନତା ଏଥିପାଇଁ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଯାଉଛି। କରୋନା ଭାଇରସ୍‌ରୁ ନିଜକୁ ରକ୍ଷା କରିବା ପାଇଁ ଲୋକମାନେ ମାସ୍କ ଓ ସାନିଟାଇଜର୍ସର ବ୍ୟବହାର କରୁଛନ୍ତି। ଏସବୁ ଭିତରେ ସୋଶାଲ୍‌ ମିଡିଆରେ ଏଭଳି ଏକ ଫଟୋ ଭାଇରାଲ ହେଉଛି, ଯେଉଁଠି ଏକ ଶିବଲିଙ୍ଗଙ୍କୁ ମାସ୍କ ପିନ୍ଧା ଯିବାର ଦେଖିବାକୁ ମିଳିଛି।

ବାରଣାସୀର ପ୍ରହ୍ଲାଦେଶ୍ୱର ମନ୍ଦିରରେ ପୁରୋହିତ ଶିବଲିଙ୍ଗ ଉପରେ ମାସ୍କ ପିନ୍ଧାଇଥିବା ନଜର ଆସିଛି। ଏହି ଘଟଣାକୁ ନେଇ ପୁରୋହିତ କହିଛନ୍ତି, “କରୋନା ଭାଇରସ୍‌ ସାରା ଦେଶରେ ବ୍ୟାପିବାରେ ଲାଗିଛି। ଏହି କାରଣ ଯୋଗୁ ଆମେ ଶିବଲିଙ୍ଗଙ୍କୁ ମାସ୍କ ପିନ୍ଧାଇଛୁ। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏଭଳି କରାଯାଇଛି। ପୁରୋହିତ ଜଣକ ଆହୁରି କହିଛନ୍ତି, “ଯେମିତି ଆମେ ଦେବା-ଦେବୀଙ୍କ ପ୍ରତିମାରେ ବସ୍ତ୍ର ପରିଧାନ କରୁ, ଥଣ୍ଡା ହେଲେ ଗରମ ବସ୍ତ୍ର, ଗରମ ହେଲେ ପଂଖା ନ ହେଲେ ଏସିର ବ୍ୟବହାର କରୁ, ଠିକ୍‌ ସେହିଭଳି ଆମେ ମାସ୍କ ମଧ୍ୟ ଲଗାଇଛୁ।”

ଏହାସହ ଏହି ମନ୍ଦିରରେ ଶିବଲିଙ୍ଗଙ୍କୁ ଛୁଇଁବାକୁ ବାରଣ ମଧ୍ୟ କରାଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ପୁରୋହିତ କହିଛନ୍ତି, “ଆମେ ଲୋକମାନଙ୍କୁ ନିବେଦନ କରୁଛୁ, ସେମାନେ କୌଣସି ଭଗବାନଙ୍କ ପ୍ରତିମାକୁ ଛୁଅଁନ୍ତୁ ନାହିଁ। ଯଦି ଲୋକମାନେ ପ୍ରତିମାକୁ ଛୁଇଁବେ, ତା’ହେଲେ ଭାଇରସ୍‌ ଚାରିଆଡ଼େ ବ୍ୟାପିବା ସହ ଏହାଦ୍ୱାରା ଅଧିକ ଲୋକ ସଂକ୍ରମିତ ହେବେ।” ଏହି ମନ୍ଦିରରେ ଥିବା ସମସ୍ତ ପୁରୋହିତ ଓ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ପୂଜା ସମୟରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି।

Comments are closed.