Odisha Link
Bridging the Missing Links in Odisha

‘କରୋନା’କୁ ବିଶ୍ବ ମହାମାରୀ ଘୋଷଣା

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଭାଇରସ୍‌ ସାରା ବିଶ୍ବ ଏହାର କାୟା ବିସ୍ତାର କରିବାରେ ଲାଗିଛି। ବିଶ୍ବବ୍ୟାପୀ ଯେଉଁଭଳି ଭାବେ କରୋନାରେ ମୃତ୍ୟୁ ସଂଖ୍ୟା ଓ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି, ଏହାକୁ ଦୃଷ୍ଟିରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁ.ଏଚ.ଓ) କରୋନାକୁ ବିଶ୍ବ ମହାମାରୀ ଘୋଷଣା କରିଛି। ଡବ୍ଲୁଏଚ୍ଓର ବସିଥିବା ବୈଠକରେ ଏହାର ନିର୍ଦ୍ଦେଶକ ଏହା ଘୋଷଣା କରିଛନ୍ତି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନୋମ୍ କହିଛନ୍ତିଯେ, ଯେଉଁଭଳି ଭାବେ ଏହି ରୋଗ ସଂକ୍ରମିତ ହେବାରେ ଲାଗିଛି ଏହାକୁ ମହାମାରୀ କୁହାଯାଇପାରେ। ଯଦିଓ ଚୀନ୍ ଏବଂ ଦକ୍ଷିଣ କୋରିଆରେ ଧୀରେ ଧୀରେ ସଂକ୍ରମଣ କମିବାରେ ଲାଗିଛି, କିନ୍ତୁ ଇଟାଲୀ ଓ ଇରାନରେ ସ୍ଥିତି ଉଦବେଗଜନକ ରହିଛି। କରୋନାର ଭୟାବହତା ଦେଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ବିଧିବଦ୍ଧ ଭାବେ ମହାମାରୀ ଘୋଷଣା କରିଛି।

ଏବେ ସୁଦ୍ଧା ୧୧୪ ଟି ଦେଶରେ ଏହା ବ୍ୟାପୀଲାଣି। ୪ ହଜାରରୁ ଉର୍ଦ୍ଧ ଲୋକ ଏଥିରେ ପ୍ରାଣ ହରାଇଲେଣି। ଗତ ସପ୍ତାହକ ମଧ୍ୟରେ ଚୀନ୍ ବାଦ୍ ଅନ୍ୟ ଦେଶଗୁଡ଼ିକରେ ଏହି ରୋଗ ୧୩ ପ୍ରତିଶତ ଅଧିକ ବେଗରେ ସଂକ୍ରମିତ ହେଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସେହି ରୋଗକୁ ମହାମାରୀ ଘୋଷଣା କରିଥାଏ, ଯେତେବେଳେ କୌଣସି ନୂଆ ରୋଗ ଗୁରୁତର ଭାବେ ସଂକ୍ରମଣ ହେଉଥାଏ। ପୂର୍ବରୁ ୨୦୦୯ରେ ସ୍ବାଇନ୍ ଫ୍ଲୁ ସଂକ୍ରମଣକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କରିଥିଲା। ସେତେବେଳେ ଏହା ବିଶ୍ବର ଏକ ଚତୁର୍ଥ ଭାଗ ଅଞ୍ଚଳରେ ବ୍ୟାପିଯାଇଥିଲା।

କରୋନାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ବଡ ନିଷ୍ପତ୍ତି ନିଆଯାଇଛି। ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ ଭିସା ରଦ୍ଦ କରିବାସହ ଏପ୍ରିଲ ୧୫ ପର୍ଯ୍ୟନ୍ତ ଭାରତକୁ ଭିସା ରଦ୍ଦ କରିଛନ୍ତି ଭାରତ ସରକାର। କେବଳ ରଜନୈତିକ ବ୍ୟକ୍ତି ଓ ଜାତିସଂଙ୍ଘ କର୍ମଚାରୀଙ୍କୁ ଛାଡି ଅନ୍ୟମାନଙ୍କ ଭିସା ରଦ୍ଦ କରାଯାଇଛି।

Comments are closed.