Odisha Link
Bridging the Missing Links in Odisha

ଅଭିଯୁକ୍ତଙ୍କ ପୋଷ୍ଟର ମାମଲା; ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ପୋଷ୍ଟର ଲଗାଇବା ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଯୋଗୀ ସରକାରଙ୍କୁ ତାଗିଦ କରିଛନ୍ତି। ବିଚାରପତି ୟୁୟୁ ଲଳିତ ଏବଂ ବିଚାରପତି ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଏହି ମାମଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଉତ୍ତର ପ୍ରଦେଶ ସରକାରଙ୍କୁ ଏଭଳି ପୋଷ୍ଟର ଲଗାଇବାର ଅଧିକାର ନାହିଁ । ଏମିତି କୌଣସି ଆଇନ ନାହିଁ ଯାହା ଅଭିଯୁକ୍ତଙ୍କ ପୋଷ୍ଟର ଲଗାଇବା ପାଇଁ ଅନୁମତି ଦିଏ। ତେବେ ବେଞ୍ଚ୍‌ ଏହି ମାମଲାରେ କୌଣସି ରାୟ ପ୍ରଦାନ କରିନାହାନ୍ତି। ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ସପ୍ତାହରେ ଏକ ତିନି ଜଣିଆ ବେଞ୍ଚରେ ହେବ ।

ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ମାମଲା ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହଟା କୋର୍ଟରେ କହିଛନ୍ତି ଯେ, “ବ୍ୟକ୍ତିଗତ ଅଧିକାରର କୌଣସି ଆଇନ ନାହିଁ। ହାଇକୋର୍ଟଙ୍କ ପୋଷ୍ଟର ହଟାଇବା ନିଷ୍ପତ୍ତିରେ ତ୍ରୁଟି ରହିଛି। କାରଣ ଅଭିଯୁକ୍ତମାନେ ପ୍ରଦର୍ଶନ ସମୟରେ ହିଂସାରେ ସାମିଲ ଥିଲେ। ସେଥିପାଇଁ ଏଭଳି ନିଷ୍ପତ୍ତି ନେବା ଅଧିକାର ସରକାରଙ୍କ ପାଖରେ ଅଛି ”

ସଲିସିଟର ଜେନେରାଲଙ୍କ ଏହି ଉକ୍ତି ଉପରେ ବିଚାରପତି ଅନିରୁଦ୍ଧ ବୋଷ ପ୍ରଶ୍ନ କରିଛନ୍ତି ଯେ, ହିଂସା ପ୍ରଦର୍ଶନ କରୁଥିବା ଅଭିଯୁକ୍ତଙ୍କ ପୋଷ୍ଟର ଲଗାଇବା ଅଧିକାର ସରକାରଙ୍କୁ କେଉଁଠୁ ମିଳିଲା ? ହିଂସାକାରୀଙ୍କ ବିରୋଧରେ ଅବଶ୍ୟ ପଦକ୍ଷେପ ନେବା ଉଚିତ ଏବଂ ତାଙ୍କୁ ଦଣ୍ଡ ମଧ୍ୟ ଦେବା ଉଚିତ। କିନ୍ତୁ ଭାରତୀୟ ସମ୍ବିଧାନରେ ଏଭଳି କୌଣସି ଆଇନରେସେମାନଙ୍କ ପୋଷ୍ଟର ବା ହୋର୍ଡ଼ିଂଗ ମାରିବା ଉଲ୍ଲେଖ ନାହିଁ ବୋଲି କୋର୍ଟ କହିଛନ୍ତି।

ଗତ ୯ ତାରିଖରେ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ସହ ଏହି ହୋଡ଼ିଂକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୁଦ୍ଧରେ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ମାମଲାର ବିଚାର କରି ସୁପ୍ରିମକୋର୍ଟ ଯୋଗୀ ସରକାରଙ୍କୁ ଚେତାବନୀ ଦେଇଥିଲେ ମଧ୍ୟ କହିଛନ୍ତି ଯେ ଦଙ୍ଗାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ଓ ସେମାନେ ଶାସ୍ତି ପାଇବା ଉଚିତ।

Comments are closed.