ଇରାନରେ ଫସି ରହିଛନ୍ତି ୮୫୦ ଭାରତୀୟ
ଇରାନ: କରୋନା ପାଇଁ ସମଗ୍ର ବିଶ୍ୱ ଏବେ ଆତଙ୍କିତ। ଚୀନ ପରେ ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ରହିଛନ୍ତି ଇଟାଲି ଓ ଇରାନ। ଇରାନରେ ଏବେ ପ୍ରାୟ ୧୦ ହଜାର ଲୋକ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୪୨୯କୁ ବୃଦ୍ଧି ପାଇଛି। ଏଥିସହ ଇରାନକୁ ତୀର୍ଥଯାତ୍ରାରେ ଯାଇଥିବା ପ୍ରାୟ ୮୫୦ ଭାରତୀୟ ସେଠାରେ ଫସିରହିଛନ୍ତି। ପ୍ରାୟ ୧୫ ଦିନ ହେଲା ଏହି ଭାରତୀୟମାନେ ଫସିରହିଥିବା ବେଳେ ଭାରତ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଇରାନ ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଭାରତୀୟମାନେ ଉତ୍ତର-ପୂର୍ବ ଇରାନର ସହର ମସାଦରେ ଥିବା ତୀର୍ଥକ୍ଷେତ୍ର ଇମାମ ରେଜାକୁ ତୀର୍ଥଯାତ୍ରାରେ ଯାଇଥିଲେ। କିନ୍ତୁ ତୀର୍ଥଯାତ୍ରା ଶେଷ ହୋଇଥିବା ବେଳେ ସେମାନେ ଗତ ୧୫ ଦିନ ହେଲା ଭାରତ ଫେରିପାରୁନାହାନ୍ତି। ଉଦ୍ଧାର ପାଇଁ ବାରମ୍ବାର ଅନୁରୋଧ ପରେ ଭାରତ ସରକାର କୌଣସି ପଦକ୍ଷେପ ନେଉ ନଥିବାରୁ ସେମାନେ ବିକ୍ଷୋଭ କରିବା ଆରମ୍ଭ କରିଦେଇଛନ୍ତି ।
୮୫୦ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୫୦ ଜଣ ଯାତ୍ରୀ ତେହେରାନରେ ଥିବା ଭାରତୀୟ ଦୂତାବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ପାର୍ସୀ, ହିନ୍ଦୀ ଓ ଇଂରାଜୀରେ ପ୍ଲାକାର୍ଡ ଲେଖି ଭାରତୀୟ ଦୂତାବାସ କର୍ମଚାରୀଙ୍କ ଦାୟିତ୍ୱହୀନତା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ପ୍ରସଙ୍ଗରେ ଭାରତୀୟ ପ୍ରତିପକ୍ଷଙ୍କୁ ଅବଗତ କରାଯାଇଥିବା ଇରାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
Comments are closed.