କରୋନା ଭାଇରସକୁ ନେଇ ପ୍ରସ୍ତୁତ ହେଲା ଶର୍ଟ ସିନେମା

ମୁମ୍ବାଇ : ସମଗ୍ର ବିଶ୍ୱରେ କରୋନା ଭାଇରସ୍ର ପ୍ରକୋପ ଦେଖିବାକୁ ମିଳୁଛି । ଏଥିରେ ସଂକ୍ରମିତ ହୋଇ ହଜାର ହଜାର ଲୋକଙ୍କ ଜୀବନ ମଧ୍ୟ ଗଲାଣି । ଏଥିରୁ ନିସ୍ତାର ପାଇଁ ଏଯାଏଁ ବୈଜ୍ଞାନିକମାନେ କୌଣସି ଟିକା ବା ଭ୍ୟାକସିନ୍ ତିଆରି କରିପାରିନାହାଁନ୍ତି । ଭାଇରସ୍ ଏତେ ଭୟଙ୍କର ଯେ ଏହା ଅତି ସହଜରେ ସଂକ୍ରମିତ ହୋଇଥାଏ ।
କରୋନାକୁ ନେଇ ଏକ ଶର୍ଟ ସିନେମା ମଧ୍ୟ ତିଆରି ସରିଲାଣି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ହରର ସିନେମାରେ ଜଣେ ମହିଳା ଏକ ଅଜଣା ଭାଇରସ୍ରେ ସଂକ୍ରମିତ ହୋଇଥିବା ଦେଖାଯାଇଛି ।
ମାତ୍ର ୫ ମିନିଟ୍ର ଏହି ଶର୍ଟ ସିନେମା ସମସ୍ତଙ୍କ ମନରେ ଆତଙ୍କ ସୃଷ୍ଟି କରିଦେଇଛି । ସୂଚନାଯୋଗ୍ୟ, ଏହି ସିନେମାରେ ଦର୍ଶାଯାଇଛି ଯେ, ଜଣେ ମହିଳା ପବ୍ଲିକ୍ ୱାସ୍ ରୁମ୍ରେ ଥିବା ଏକ ଡଷ୍ଟବିନ୍ରେ ନିଜର ଫୋନ ଖୋଜୁଛନ୍ତି । ସେହି ସମୟରେ ଡଷ୍ଟବିନ୍ରେ ପଡ଼ିଥିବା ଏକ ସିରିଞ୍ଜ୍ର ଛୁଞ୍ଚି ତାଙ୍କ ହାତରେ ଅଜାଣତରେ ଫୋଡି ହୋଇଯାଇଥାଏ ।
ଛୁଞ୍ଚିଟି ଫୋଡିଯିବା ପରେ ସେ ଏକ ଅଜଣା ଭାଇରସ୍ରେ ସଂକ୍ରମିତ ହୋଇଯାଇଥାନ୍ତି । ଏହାପରେ ସେ ସମ୍ପୂର୍ଣ୍ଣ ଭାବେ ଭୟଭୀତ ହୋଇ ଏଥିରୁ ବର୍ତ୍ତିବା ପାଇଁ ଉଦ୍ୟମ ଆରମ୍ଭ କରନ୍ତି। ଏସମ୍ବନ୍ଧୀୟ ବିଷୟରେ ଜାଣିବା ପାଇଁ ସେ ଫୋନ୍ରେ ସର୍ଚ୍ଚ କରିଥାନ୍ତି ।
ଏହା ଏକ ବିପଦଜ୍ଜନକ ଭାଇରସ୍ ଜାଣିବା ପରେ ଏହାସହ କିପରି ମୁକାବିଲା କରିବେ ସେନେଇ ଉଦ୍ୟମ କରନ୍ତି। ହେଲେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ତାଙ୍କର ଆହୁରି ସ୍ବାସ୍ଥ୍ୟ ବିଗଡିଯାଇଥିବା ଏହି ଫିଲ୍ମରେ ଦେଖିବାକୁ ମିଳିଛି ।
ଟ୍ରାୟୋଫୋବିଆ ନାମକ ଏହି ସିନେମାକୁ ୨ବର୍ଷ ପୂର୍ବରୁ ୟୁଟ୍ୟୁବ୍ରେ ଅପ୍ଲୋଡ କରାଯାଇଥିଲା । ହେଲେ କରୋନା ଭାଇରସ୍ ସଂକ୍ରମଣ ଓ ଏଥିରୁ ହେଉଥିବା କ୍ଷତିକୁ ଦେଖି ପୁଣି ଥରେ ଏହାକୁ ଅପ୍ଲୋଡ୍ କରାଯାଇଛି। ତେବେ ଏହି ଫିଲ୍ମକୁ ଏପର୍ଯ୍ୟନ୍ତ ୬ଲକ୍ଷରୁ ଅଧିକ ୟୁଜର୍ସ ଦେଖିସାରିଲେଣି ।
Comments are closed.