କରୋନା: ବିଦେଶରୁ ରାଜ୍ୟକୁ ଫେରୁଥିବା ସମସ୍ତଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ
![](https://www.odishalink.com/wp-content/uploads/2020/01/corona-virus-11.jpg)
ଭୁବନେଶ୍ବର: ବର୍ତ୍ତମାନ କୋରୋନା ପରିସ୍ଥିତିରେ ବିଦେଶରେ ବିଭିନ୍ନ କାର୍ଯ୍ୟାଳୟ ଏବଂ ବୃତ୍ତିଗତ କାର୍ଯ୍ୟସ୍ଥଳୀଗୁଡ଼ିକ ସାମୟିକ ଭାବରେ ବନ୍ଦ କରାଯାଉଛି। ଏହି ପରିପ୍ରେକ୍ଷୀରେ ବିଦେଶରୁ ଓଡ଼ିଶାକୁ ଫେରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଜି ଅପରାହ୍ନରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରୀପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ବର୍ତ୍ତମାନଠାରୁ ଓଡ଼ିଶାକୁ ବିଦେଶରୁ ଫେରିଥିବା ଛାତ୍ର, ବୃତ୍ତିଜୀବୀ କିମ୍ବା ସାଧାରଣ ଲୋକ ସମସ୍ତଙ୍କର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବାଧ୍ୟତାମୂଳକ ପଞ୍ଜୀକରଣ କରାଯିବ। ସେଥିପାଇଁ ଟୋଲଫ୍ରି ନଂ-୧୦୪ ସହିତ ଏକ ଅନ୍ଲାଇନ୍ covid19.odisha.gov.in ପୋର୍ଟାଲ୍ ବ୍ୟବସ୍ଥା କରାଯାଇଛି। ଏଥିରେ ସେମାନେ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କର ଆସିବା ସମ୍ପର୍କିତ ତଥ୍ୟ ପ୍ରଦାନ କରିବେ। ସେମାନଙ୍କର ନାମ, ଠିକଣା, ଇମେଲ ଆଦି ଏହି ପୋର୍ଟାଲରେ ଉପଲବ୍ଧ ହେବ ସେମାନଙ୍କର ଆଗୁଆ ତଥ୍ୟ ମିଳିଲେ ସେମାନଙ୍କୁ ୧୪ଦିନ ହୋମ କ୍ୱାରାଣ୍ଟାଇନ୍ରେ ରଖାଯିବ।
ଏହି ଏସ୍.ଓ.ପି. ପାଳନ ନିମନ୍ତେ ଆବଶ୍ୟକୀୟ ପ୍ରୋଟୋକଲ ଦିଆଯିବ। ସଂପୃକ୍ତ ବ୍ୟକ୍ତି ସ୍ୱତ୍ତଃପ୍ରବୃତ୍ତ ଭାବରେ ନିଜ ସଂପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିବେ। ଏ ସମସ୍ତ ଗାଇଡ଼ଲାଇନ୍ ଅନୁପାଳନ କଲେ ରାଜ୍ୟ ସରକାରଙ୍କ ତରଫରୁ ୧୫ ହଜାର ଟଙ୍କାର ଅର୍ଥ ରାଶି ପ୍ରୋତ୍ସାହନ ଆକାରରେ ପ୍ରଦାନ କରାଯିବ ଜ୍ଜଟ୍ଟ। ଏହି ନିର୍ଦ୍ଦେଶନାମା ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଯେଉଁମାନେ ଓଡ଼ିଶାକୁ ବିଦେଶରୁ ବର୍ତ୍ତମାନ ସୁଦ୍ଧା
ପହଁଞ୍ଚି ସାରିଛନ୍ତି, ସେମାନଙ୍କ ନିମନ୍ତେ ମାର୍ଚ୍ଚ ୧୭ ତାରିଖ ସକାଳ ୬ ଘଟିକାଠାରୁ ମାର୍ଚ୍ଚ ୧୯ ସକାଳ ୬ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ସମୟ ପଞ୍ଜୀକରଣ ପାଇଁ ଧାର୍ଯ୍ୟ କରାଯାଇଛି।
ଏହି ନିର୍ଦ୍ଦେଶନାମାକୁ ଉଲଙ୍ଘନ କଲେ ଆଇନ୍ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ଜ୍ଜଟ୍ଟ; ବର୍ତ୍ତମାନ ସ୍ଥିତିରେ ଏଭଳି ପଦକ୍ଷେପ ନେବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ।
ଏହି ସାମ୍ବାଦିକ ସମ୍ମିଳନୀରେ COVID-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ସୂଚନା ଦେଇ ଶାନ୍ତ ରହିବା, ସଚେତନ ହେବା ଓ ଦୃଢ଼ ପଦକ୍ଷେପ ସହ କାର୍ଯ୍ୟ କରିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। କରୋନା ସଂକ୍ରମଣର ବିଶ୍ୱ ସ୍ଥିତି ସମ୍ପର୍କରେ ଅବତାରଣା କରି ଶ୍ରୀ ବାଗ୍ଚୀ କହିଲେ ଯେ, ଆଜି ଦିନ ୨ଟା ସୁଦ୍ଧା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁସାରେ ୧୫୭ଟି ଦେଶରେ COVID-୧୯ ଭୂତାଣୁ ବ୍ୟାପି ୧ଲକ୍ଷ ୭୦ହଜାର ୧୮୭ ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୮୫ହଜାର ୮୮୦ଜଣ କରୋନା ଭୂତାଣୁରେ ବର୍ତ୍ତମାନ ସୁଦ୍ଧା ସକି୍ରୟ ଅଛନ୍ତି ଏବଂ ୮୪ହଜାର ୩୦୭ଜଣ ସଂକ୍ରମଣ ମୁକ୍ତ ହୋଇଛନ୍ତି। ଆଜି ସୁଦ୍ଧା ଭାରତରେ ୧୧୫ଜଣ ସଂକ୍ରମିତ ହୋଇଥିବା ବେଳେ ଓଡ଼ିଶାରେ ଗୋଟିଏ କେସ୍ ଚିହ୍ନଟ ହୋଇଛି। ଇଟାଲୀ ଫେରନ୍ତା ଏହି ଯୁବକ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ୫୩ ଜଣଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି।
ସମ୍ପୃକ୍ତ ଯୁବକ ପ୍ରଥମେ ଯେଉଁ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ତାହାକୁ ବର୍ତ୍ତମାନ ବନ୍ଦ କରାଯାଇଛି ଏବଂ ସମ୍ପୃକ୍ତ ଡାକ୍ତର ଓ ସହଯୋଗୀଙ୍କୁ ମଧ୍ୟ ହୋମ୍ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ ଆଜି ସୁଦ୍ଧା ବହୁବିଧ ପଦକ୍ଷେପ ନିଆଯାଇଛି। ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଗ୍ରାମପଞ୍ଚାୟତ ଉପନିର୍ବାଚନକୁ ବନ୍ଦ କରାଯାଇଛି। କୋଚିଂ ସଂସ୍ଥା, ଟୁ୍ୟଟରିଆଲ୍ସ, ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯିବା ସହିତ ୧ମ ଶ୍ରେଣୀରୁ ୯ମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀର ସମସ୍ତ ପରୀକ୍ଷାଗୁଡ଼ିକ ସାମୟିକ ଭାବେ ସ୍ଥଗିତ ରଖାଯିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅସ୍ଥାୟୀ କ୍ୱାରାଣ୍ଟାଇନ ସେବା ପାଇଁ ସମସ୍ତ ଭିତ୍ତିଭୂମି ସୁବିଧା ଥିବା କଲ୍ୟାଣ ମଣ୍ଡପ, କମୁ୍ୟନିଟି ସେଣ୍ଟର, ବାତ୍ୟା ଆଶ୍ରୟସ୍ଥଳ, ସହରାଞ୍ଚଳ ଆଶ୍ରୟସ୍ଥଳୀ ଓ ସୁବିଧା ଥିବା ଅନ୍ୟ କୋଠାଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ପ୍ରତିନିଧି ଓ କ୍ଷେତ୍ର କାର୍ଯ୍ୟକର୍ତ୍ତାମାନଙ୍କୁ ସାମିଲ କରାଯିବାକୁ ପଦକ୍ଷେପ ନିଆଯାଇଛି ଜ୍ଜଟ୍ଟ; ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଏବଂ ସେ୍ୱଚ୍ଛାସେବୀ ଅନୁଷ୍ଠାନମାନଙ୍କ ମାଧ୍ୟମରେ ଯଥେଷ୍ଟ ପରିମାଣର ସୂଚନା।
ଶିକ୍ଷା ଓ ଯୋଗାଯୋଗ (ଆଇ.ଇ.ସି) ପ୍ରଚାର ପତ୍ର ପୁସ୍ତିକା ଉପଲବ୍ଧ କରାଯାଇ ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ୩୧ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ଆଧାର ପଞ୍ଜୀକରଣ କାର୍ଯ୍ୟକ୍ରମକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ତଥା ଆଇ.ଇ.ସି. କମିଟିର ମୁଖ୍ୟ ଅନୁ ଗର୍ଗ, ଶିଳ୍ପ ଓ ଏମ୍.ଏସ୍.ଏମ.ଇ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଶାଲିନୀ ପଣ୍ଡିତ୍, ସୂଚନା ଓ ଲୋକସମ୍ପର୍କ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶାସନ ସଚିବ ସଞ୍ଜୟ କୁମାର ସିଂହ ଏବଂ ଡ଼ି.ଏମ୍.ଇ.ଟି. ପ୍ରଫେସର ଡାକ୍ତର ସି.ବି.କେ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.